ମାର୍ଶାଘାଇ : ଜମିବାଡ଼ି ବିବାଦକୁ ନେଇ ଭାଇ-ଭାଇ ଭିତରେ ତୁମୁଳକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପାଟକୁରା ଥାନା ଶାସନୀପଡା ଗ୍ରାମରେ। ଗଣ୍ଡଗୋଳରେ ଜଣେ ପ୍ରାଣ ହରାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଜମି ବିବାଦକୁ ନେଇ ୩ ବର୍ଷ ତଳେ ଘଟିଥିବା ଗଣ୍ଡଗୋଳରେ ଚାରି ଭାଇଙ୍କ ଭିତ‌ରୁ ଜଣେ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ଯିବା ଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଶାସନୀପଡା ଗ୍ରାମର ୪ ଭାଇ ବ୍ରଜବନ୍ଧୁ ବେହେରା, ବିପିନ ବିହାରୀ ବେହେରା, ହାଡିବନ୍ଧୁ ବେହେରା ଓ ସ୍ବର୍ଗତ ରମେଶ ବେହେରାଙ୍କ ପରିବାର ପୃଥକ ଭାବେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜମିଜମାକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଆଜି ସକାଳେ ବ୍ରଜବନ୍ଧୁ କଦଳୀ ଗଛ ପକାଇବାକୁ ନେଇ ଗଣ୍ତଗୋଳର ସୂତ୍ରପାତ ହୋଇଥିଲା। ବିପିନ ଓ ସ୍ବର୍ଗତ ରମେଶଙ୍କ ଦୁଇ ପୁଅ ବ୍ରଜବନ୍ଧୁଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମାଡ୍‌ପିଟ ଲାଗିଥିଲା। ଆକ୍ରମଣରେ ବ୍ରଜବନ୍ଧୁ, ତାଙ୍କ ପତ୍ନୀ ମମତା, ପୁଅ ମନୋରଞ୍ଜନନ, ବିବାହିତା ଝିଅ ସସ୍ମିତା ଓ ସମ୍ପର୍କୀୟ ପୁତୁରା ପ୍ରଶାନ୍ତ ବେହେରା ଆହତ ହୋଇଥିଲେ। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବ୍ରଜବନ୍ଧୁ(୬୦)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀ ବିପିନ ମଧ୍ୟ ଗଣ୍ଡଗୋଳରେ ଆହତ ହୋଇଛନ୍ତି।

ପୁଲିସ ସ୍ବର୍ଗତ ରମେଶଙ୍କ ପୁଅଙ୍କ ସମେତ ବିପିନ ଓ ହାଡିବନ୍ଧୁଙ୍କୁ ଅଟକ ରଖିଛି। ନିହତ ବ୍ରଜବନ୍ଧୁଙ୍କ ବୋହୂ ସୁନିତା ଏ ନେଇ ପାଟକୁରା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ୩ ବର୍ଷ ତଳେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ତଗୋଳରେ ରମେଶ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୨ମାସ ପରେ ପ୍ରାଣ ହରାଇଥିଲେ।



from ଜିଲ୍ଲା – Sambad https://ift.tt/2XZ9ArO