ଯାଜପୁର/ଭଦ୍ରକ : ବୈତରଣୀ ବନ୍ୟାରେ ପ୍ରଭାବିତ ହୋଇଛି ଯାଜପୁର ଓ ଭଦ୍ରକ ଜିଲ୍ଲା। ଗତକାଲିଠାରୁ ନଦୀଜଳ ତା’ର ଉଗ୍ର ରୂପ ଦେଖାଇବା ସହିତ ଆଜି ଏହି ୨ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ତା’ର କାୟା ମେଲାଇବାରେ ଲାଗିଛି। ଫଳରେ, ଶତାଧକ ଗାଁରେ ପାଣି ପଶିବା ସହିତ ହଜାର ହଜାର ଗ୍ରାମ ଜଳମଗ୍ନ ହୋଇଛି। ଗୋଟିଏ ପଟେ କରୋନା ଯୋଗୁ ଲୋକମାନଙ୍କ ଜୀବନଯାତ୍ରା ଯାହା ପ୍ରଭାବିତ ହୋଇଥିଲ‌ା, ବନ୍ୟା ତାହାକୁ ଦ୍ବିଗୁଣିତ କରିଦେଇଛି।

ବୈତରଣୀରେ ବନ୍ୟା ଯୋଗୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର, କୋରେଇ ଓ ଯାଜପୁର ବ୍ଲକ୍‌ର ଶହ ଶହ ଗାଁରେ ବନ୍ୟାପାଣି ପଶି ବ୍ୟାପକ କ୍ଷତି ଘଟିଛି। ଶହଶହ ଘର ମାଟିରେ ମିଶିଯାଇଥିବା ବେଳେ ଚାଷଜମି ଜଳମଗ୍ନ ହୋଇ ଫସଲ ଉଜୁଡ଼ି ଯାଇଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ଏଠାରେ ୨୦.୦୪ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏପଟେ ବ୍ରାହ୍ମଣୀ ଏବଂ ଖରସ୍ରୋତା ବି ଫୁଲିବାରେ ଲାଗିଛି।

ଆଜି ବୈତରଣୀ ନଦୀର ଦତ୍ତପୁରରେ ୧୨୦ଫୁଟର ଘାଇ ହୋଇଥିବାବେଳେ କାଣୀ ନଦୀରେ ୨ଟି ସ୍ଥାନ ତଥା ନୂଆଶାସନ ଠାରେ ୨୦୦ ଫୁଟ ଓ ଦୁଦୁରାଅନ୍ତା ଠାରେ ୭୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶତାଧିକ ଗ୍ରାମରେ ବନ୍ୟାପାଣି ପଶିଛି।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବୈତରଣୀ ସହିତ ରେବ-କପାଳିରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବ୍ଲକର ୨୫ଟି ଯାକ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୨ ଶହରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି। ବନ୍ୟାପାଣିରେ ଭଦ୍ରକ-ଆରଡି ରାଜ୍ୟ ରାଜପଥ ବୁଡ଼ି ରହିଥିବାରୁ ଧାମନଗର-ଯାଜପୁର ମଧ୍ୟରେ ଗମନାଗମନ ବିଚ୍ଛିନ୍ନ ହୋଇଛି। ସେପଟେ ରାମେଶ୍ବରପୁରଠାରେ ବୈତରଣୀର ଶାଖାନଦୀ ଗେଙ୍ଗୁଟି ନଦୀବନ୍ଧ ଡେଇଁ ବାହାରକୁ ଚାଲିଆସିଛି। ସେହିଭଳି, ବୈତରଣୀ ବନ୍ୟା ବିଭୀଷିକାରେ ଭଣ୍ତାରିପୋଖରୀ ବ୍ଳକର ବହୁ ଅଞ୍ଚଳ ଜଳମଗ୍ନ ହେବା ସହିତ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାଣି ବଢୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଗତକାଲି ରାତିରୁ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବ୍ଲକ୍‌ ଅନ୍ତର୍ଗତ ୯ଟି ପଞ୍ଚାୟତର ୫୦ ହଜାର ଲୋକ ପାଣି ଘେରରେ ରହିଥିବା ବେଳେ ଆମ୍ବଗଡିଆଠାରେ ନଦୀବନ୍ଧ ଧସିଥିବା ଖବର ମିଳିଛି।

ବନ୍ୟାର ବଢ଼ନ୍ତା ପ୍ରଭାବକୁ ଦୃଷ୍ଟିରେ ରଖି ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ସହିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।



from ଜିଲ୍ଲା – Sambad https://ift.tt/3jknHQx