ବାଲେଶ୍ୱର : ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍‌)ରେ ବାଲେଶ୍ବରର ଝିଅ ଆରାଧନା ମନସ୍ବିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୭୨୦ ମାର୍କରୁ ୬୯୦ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସମ୍ଭବତଃ ଦେଶରେ ଟପର୍‌ ହୋଇଥିବା ରାଉରକେଲାର ସୋଏବଙ୍କ ପଛକୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅରାଧନା ଦ୍ବିତୀୟ ସ୍ଥାନରେ ଅଛନ୍ତି। ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ।

ଏହି ଖବର ପ୍ରଚାରିତ ହେବା ପରେ ଆରାଧନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଛି। ବାଲେଶ୍ବର ସଦର ବ୍ଲକ ଶ୍ରୀକୋଣା ଅଞ୍ଚଳର ରାଧାକାନ୍ତ ରାଉଳ ଏବଂ ରେଣୁବାଳାଙ୍କର ଏକମାତ୍ର ଝିଅ ହେଉଛନ୍ତି ମନସ୍ବିନୀ। ସେ ଭୁବନେଶ୍ବର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜି ମାଧ୍ୟମ ସ୍କୁଲରେ ଦଶମ ଶେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ସେ ୯୯ ପ୍ରତିଶତ ମାର୍କ ଓଡ଼ିଶା-ବେଙ୍ଗଲ ଓ ବିହାର ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହାପରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିବା ସହ ସେଥିରେ ୯୭ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିଲେ। ଚଳିତବର୍ଷ ସର୍ବଭାରତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ) ପାଇଁ କୋଚିଂ ନେଉଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆରାଧନାଙ୍କ ବାପା ରେଳ ବିଭାଗର ଜଣେ ଅଧିକାରୀ। ସେ ବାଲେଶ୍ବର ଜିଲ୍ଲା ବସ୍ତା ରେଳଷ୍ଟେସନର ଷ୍ଟେସନ ମ୍ୟାନେଜର ଅଛନ୍ତି ଏବଂ ମା’ ଭୁବନେଶ୍ବର ମହିଳା ସୁରକ୍ଷା ବିଭାଗର ଜଣେ କର୍ମଚାରୀ। ଅତୀତରେ ଆ‌ରାଧନା ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନି ତିନିଥର ସମ୍ବର୍ଦ୍ଧିତ ହୋଇଛନ୍ତି। ଗତବର୍ଷ ମଧ୍ୟ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ ପ୍ରଧାନମନ୍ତ୍ରୀଙ୍କ ସହ ଦେଖିବା ପାଇଁ ସେ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହାଛଡ଼ା ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ସଫଳତା ସାଉଁଟିଛନ୍ତି। ଆଗକୁ ସେ ଡାକ୍ତରୀ ପଢ଼ିବା ଲାଗି ଭୁବନେଶ୍ବର ସ୍ଥିତ ଏମ୍‌ସରେ ନାମ ଲେଖାଇବେ ବୋଲି କହିଛନ୍ତି।

The post ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବାଲେଶ୍ୱର ଝିଅ ଅରାଧାନଙ୍କ ସଫଳତା first appeared on Sambad.



from ଜିଲ୍ଲା – Sambad https://ift.tt/2T0DiKa