ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଲେ
ଐତିହ୍ୟ କରିଡର୍‌ର ବିକାଶ ଦେଖିଲେ
ଜାନୁଆରି ୧ ସୁଦ୍ଧା ଜମି ଅଧିଗ୍ରହଣ ସାର
ଭକ୍ତଙ୍କ ବାଧାବିହୀନ ଦର୍ଶନ ଉପରେ ଗୁରୁତ୍ୱ

ପୁରୀ : ଜନ୍ମଦିନର ଦିନକ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ପତିତପାବନଙ୍କୁ ଦର୍ଶନ କରିଛନ୍ତି ଏବଂ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ବିକାଶ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଚାରି ପାଖରେ ବୁଲିବା ସହ ବରିଷ୍ଠ ଅଧିକାରୀମାନଙ୍କଠାରୁ କାମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ଶ୍ରୀକ୍ଷେତ୍ରରେ ୨୫ ମିନିଟ୍‌ର ରହଣି କାଳରେ ମୁଖ୍ୟମନ୍ତ୍ରୀ ମନ୍ଦିରଠାରୁ ୭୫ ମିଟର ଅଞ୍ଚଳରେ ଉଚ୍ଛେଦ ସ୍ଥିତି ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଆସନ୍ତା ଜାନୁଆରି ୧ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେବା ସହ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର୍‌ର କାମ ଆରମ୍ଭ କରିବାକୁ କହିଛନ୍ତି।

ଆଜି ଅପରାହ୍ଣ ପ୍ରାୟ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପ୍ରଥମେ ସେ ସିଂହଦ୍ବାରରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ଉନ୍ନୟନ କମିସନର୍‌ ତଥା ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ପତିତପାବନଙ୍କୁ ହାତଯୋଡ଼ି ମୁଣ୍ଡିଆ ମାରିବା ପରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କ ସହ ସିଂହଦ୍ବାରରୁ ଚାଲି ଚାଲି ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଓ ଉତ୍ତରଦ୍ବାର ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। କାକୁଡ଼ିଖାଇ ମନ୍ଦିର ନିକଟରେ କିଛି ସମୟ ଅଟକିବା ସହ ଉଚ୍ଛେଦ ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ସେହିଭଳି ଦକ୍ଷିଣ ଦ୍ବାର, ପଶ୍ଚିମ ଦ୍ବାର ଓ ଉତ୍ତର ଦ୍ବାରରେ କିଛି କିଛି ସମୟ ଅଟକି ମୁଖ୍ୟମନ୍ତ୍ରୀ ଉନ୍ନୟନ କାର୍ଯ୍ୟ ଦେଖିବା ପରେ ପୁନର୍ବାର ଲଙ୍ଗୁଳିମଠ ଦେଇ ସିଂହଦ୍ବାରରେ ବାହାରିଥିଲେ। ଚାଲି ଚାଲି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସମୟରେ ୫-ଟି ସଚିବ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଯେଭଳି ସୁରୁଖୁରୁରେ ଧାଡ଼ିରେ ଛିଡ଼ା ହୋଇପାରିବେ ଏବଂ ସିଂହଦ୍ୱାର ବାଟେ ଯାଇପାରିବେ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିନା ବାଧାରେ ଦର୍ଶନ ଏବଂ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଟେକ୍ନୋଲୋଜି ବ୍ୟବହାର ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଐତିହ୍ୟ କରିଡର୍‌କୁ ଏପରି କରାଯିବ, ଯେମିତି ଦିବ୍ୟାଙ୍ଗମାନେ ମଧ୍ୟ ପରିକ୍ରମା କରିବାକୁ ସମର୍ଥ ହୋଇପାରିବେ। ଏହା ସହ ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ମେଘନାଦ ପାଚେରିର ଦକ୍ଷିଣ ପଟରେ ଗଛ ଲଗାଇ ଭକ୍ତଙ୍କୁ ଛାଇର ସୁବିଧା ଦେବା, ପଶ୍ଚିମ ପଟରେ କୌଣସି ବିଦ୍ୟୁତ ସବଷ୍ଟେସନ୍ କିମ୍ବା ମାଷ୍ଟର ପ୍ଲାନ୍ କଣ୍ଟ୍ରୋଲ୍ ରୁମ୍ ନ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସେଠାରେ ଥିବା ସେସୁ କଣ୍ଟ୍ରୋଲ୍ ରୁମ୍‌କୁ ସ୍ଥାନାନ୍ତର କରାଯିବ। ମନ୍ଦିର ପରିକ୍ରମା ବେଳେ ଭକ୍ତମାନେ ମେଘନାଦ ପାଚେରି ଦେଖିବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ତର ପଟ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମହାପ୍ରସାଦ ବଣ୍ଟନର ପର୍ଯ୍ୟାପ୍ତ ସୁବିଧା କରିବାକୁ କହିଥିଲେ।

The post ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ first appeared on Sambad.



from ଜିଲ୍ଲା – Sambad https://ift.tt/31hp7Vw