
ବାଲେଶ୍ୱର : ବାଲେଶ୍ୱର ସଦର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଦଳର ନୂଆ ମୁହଁ ଭାବେ ପୂର୍ବତନ କାଉନସିଲର ସ୍ବରୂପ ଦାସଙ୍କ ପ୍ରାର୍ଥିତ୍ବ ଉପରେ ମୋହର ମାରିଛନ୍ତି। ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଆଦୌ ଚର୍ଚ୍ଚାରେ ନଥିବା ନୂଆ ଚେହେରା ସ୍ବରୂପ ଦାସଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯିବା ପରେ ରବୀନ୍ଦ୍ରଙ୍କ ଶିବିରରେ ଅସନ୍ତୋଷ ପ୍ରକାଶ ପାଇଛି। ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଏମ୍ଡି ସାହିରୁଲ ହକ୍ ଦଳରୁ ଇସ୍ତଫା ଦେଇଥିବା ବେଳେ ଛାତ୍ର ଓ ଯୁବ ବିଜେଡି ସଙ୍ଗଠନର ଏକାଧିକ କର୍ମକର୍ତ୍ତାଙ୍କ ସହିତ ରବୀନ୍ଦ୍ରଙ୍କ ବହୁ ଅନୁଗତ ତାଙ୍କ କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଥିଲେ। ସମ୍ଭବତଃ ପ୍ରାର୍ଥିତ୍ବକୁ ନେଇ ଅସନ୍ତୁଷ୍ଟ ଥିବା ରବୀନ୍ଦ୍ର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ତାଙ୍କ ଶିବିରରୁ ଶୁଣିବାକୁ ମିଳୁଛି। ସେପଟେ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ, ମନ୍ତ୍ରୀ ସ୍ଥାନୀୟ କଳିଙ୍ଗ ହୋଟେଲରେ ଏକାଠି ହୋଇ ସାଂପ୍ରତିକ ସ୍ଥିତି ଉପରେ ନଜର ରଖିବା ସହ ବିଚାରବିମର୍ଶ ଚଳାଇଛନ୍ତି।
ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ରାଜ୍ୟ ନେତୃତ୍ବଙ୍କଠୁ ଡାକରା ପାଇ ରବୀନ୍ଦ୍ର ଭୁବନେଶ୍ବର ବାହାରି ଯାଇଥିଲେ। ସେଠାରେ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରତାପ ଦେବ, ଦଳର ଉପସଭାପତି ଦେବୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଦୀର୍ଘ ସମୟ ଆଲୋଚନା
ହୋଇଥିଲା। ତଥାପି ପ୍ରାର୍ଥିତ୍ବ ସଂପର୍କରେ କିଛି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନଥିଲା। ପରେ କଥା ଯାଇଥିଲା ସୁପ୍ରିମୋଙ୍କ ପାଖକୁ। ପ୍ରାର୍ଥିତ୍ବକୁ ନେଇ ଦଳରେ ଉପୁଜିଥିବା ଅନ୍ତଃକନ୍ଦଳ ସଂପର୍କରେ ସୁପ୍ରିମୋଙ୍କୁ ଅବଗତ କରାଯିବା ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ଦିନ ୧୧ଟା ବେଳକୁ ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ବାଲେଶ୍ବର ଅଡୁଆ ନ ତୁଟିବାରୁ ନାମ ଘୋଷଣା ବିଳମ୍ବିତ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ବାଲେଶ୍ବର ଏବଂ ବିଭିନ୍ନ ସ୍ଥାନରେ ରବୀନ୍ଦ୍ରଙ୍କ ପକ୍ଷରୁ ଖୋଲାଯାଇଥିବା ସମସ୍ତ ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ହଠାତ୍ ବନ୍ଦ କରିଦେବା ପାଇଁ ଅଘୋଷିତ ନିର୍ଦ୍ଦେଶ ଆସିଥିଲା। ଏ କଥା ଜାଣିବା ପରେ କିଛି ବଡ଼ ପରିବର୍ତ୍ତନର ଆଭାସ ପାଇଥିଲେ ରବୀନ୍ଦ୍ରଙ୍କ ଅନୁଗତ। ଏହାକୁ ନେଇ କର୍ମୀ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଆସିଥିଲା ବଡ଼ ଖବର। ବାଲେଶ୍ବର ଆସନ ପାଇଁ ସ୍ବରୂପ କୁମାର ଦାସଙ୍କ ନାଁରେ ସୁପ୍ରିମୋ ମୋହର ମାରିଥିବା ନେଇ ଦୁଇଧାଡ଼ିଆ ପ୍ରେସ୍ ବିବୃତି ମିଡିଆକୁ ଧରାଇ ଦିଆଯାଇଥିଲା। ଶେଷବେଳକୁ ଚିତ୍ର ଓଲଟପାଲଟ ହୋଇ ଯାଇଥିବା ଦେଖି ବାଲେଶ୍ବରରେ ରବୀନ୍ଦ୍ରଙ୍କ ଶିବିରରେ ନୈରାଶ୍ୟ ଖେଳି ଯାଇଥିଲା।
ସ୍ବରୂପ ଦାସ ଏବେ ବିଜୁ ଜନତା ଦଳର ବାଲେଶ୍ବର ପୌର ପରିଷଦ ସଭାପତି ଦାୟିତ୍ବରେ ଅଛନ୍ତି। ଏହାପୂର୍ବରୁ ସେ ପୌର ପରିଷଦର କାଉନସିଲର୍ ଥିଲେ। ତାଙ୍କର ଆଉ ଏକ ପରିଚୟ ହେଉଛି, ବାଲେଶ୍ବର ପୌର ପରିଷଦରୁ ଦୁଇ ଦୁଇ ଥର ପୌରାଧ୍ୟକ୍ଷ ହୋଇଥିବା ସ୍ବର୍ଗତ ଅନୁପ ଦାସ (କୁନା)ଙ୍କର ସେ ସାନଭାଇ। ସ୍ବର୍ଗତ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ସୁଜାତା ଦାସ ମଧ୍ୟ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ସ୍ବର୍ଗତ ଅନୁପ ଦାସ ୨୦୦୯ ନିର୍ବାଚନରେ ସ୍ବାଧୀନ ଭାବେ ବିଧାୟକ ଲଢ଼ି ତତ୍କାଳୀନ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାଶଙ୍କୁ କଡ଼ା ଟକ୍କର ଦେଇଥିଲେ। ଜୀବନପ୍ରଦୀପ ୫୫,୭୧୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅନୁପ ଏକାକୀ ୪୨,୨୨୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହି ହିସାବରେ ସ୍ବରୂପଙ୍କୁ ପ୍ରାର୍ଥୀ କରିବା ପାଇଁ ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ନେତୃବୃନ୍ଦ ବିଚାରବିମର୍ଶ କରିଥିବା କୁହାଯାଉଛି।
ବିଜେଡିର ପ୍ରାର୍ଥିତ୍ବକୁ ନେଇ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ସଦର ବିଧାୟକ ଜୀବନପ୍ରଦୀପ ଦାଶଙ୍କ ମଧ୍ୟରେ ତୀବ୍ର ଅନ୍ତଃକନ୍ଦଳ ଯୋଗୁଁ ଦଳରେ ଫାଟ ଜଳଜଳ ହୋଇ ଦିଶୁଥିଲା। ରାଜ୍ୟ ନେତୃମଣ୍ଡଳୀ ଏହି ଫାଟକୁ ଯୋଡ଼ିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ, ଯଦିଓ ରବୀନ୍ଦ୍ର ନିର୍ବାଚନରେ ପ୍ରାର୍ଥୀ ଦୌଡ଼ରେ ନାହାନ୍ତି ଏବଂ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ପରେ ଜୀବନପ୍ରଦୀପ ମଧ୍ୟ ନିଜ ତରଫରୁ ଘୋଷଣା କରି କହିଥିଲେ, ପରାଜିତ ପ୍ରାର୍ଥୀଙ୍କୁ ଟିକଟ୍ ନଦିଆଯିବାକୁ ଦଳୀୟ ନିଷ୍ପତ୍ତି ହୋଇଛି। ତେଣୁ ସେ ପ୍ରାର୍ଥୀ ରେସ୍ରୁ ଓହରି ଯାଇଥିବା ଘୋଷଣା କରିଥିଲେ। ଏଥିସହ ଅନ୍ୟ କୌଣସି ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ଟିକଟ ଦିଆନଯାଉ ବୋଲି ପ୍ରତିକ୍ରିୟା ରଖିଥିଲେ। ସିଧାସଳଖ ନ କହିଥିଲେ ବି ତାଙ୍କର ଏହି ତେରଛା ବାଣ ରବୀନ୍ଦ୍ରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। ଅନ୍ୟପଟେ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଟିକଟ୍ ଘୋଷଣା ପରେ ସ୍ବରୂପଙ୍କ ଆଜିମାବାଦସ୍ଥିତ ବାସଭବନ ଆଜି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରବୀନ୍ଦ୍ରଙ୍କ ବାସଭବନ ଓ କାର୍ଯ୍ୟାଳୟ ଆଗରେ ଅନୁଗତମାନେ ଭିଡ଼ ଜମାଇଛନ୍ତି। ପ୍ରାର୍ଥିତ୍ବ ସଂପର୍କରେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ସେ କହିଛନ୍ତି, ଦଳର ବିଜୟ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବୁ। ସେପଟେ ନିକଟରେ ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ଜୀବନବିନ୍ଦୁର ପୂର୍ବତନ ସଂଯୋଜକ ଆଶିଷ ଘୋଷ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସଠିକ ଦର୍ଶାଇଛନ୍ତି। ଦଳରୁ ଇସ୍ତଫା ଦେଇଥିଲେ ବି ମୁଁ ଦଳରେ ଅଛି ଏବଂ ଦଳ ପାଇଁ କାମ କରିବି ବୋଲି କହିଛନ୍ତି। ସ୍ବରୂପଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ଜିଲ୍ଲା ରାଜନୀତିରେ ରବୀନ୍ଦ୍ରଙ୍କ ଭବିଷ୍ୟତ ନେଇ ପ୍ରଶ୍ନଚିହ୍ନ ଆଙ୍କି ହୋଇଯାଇଛି।
ସମର୍ଥକଙ୍କ ଇସ୍ତଫା ଧମକ, ଆଜି ନିଷ୍ପତ୍ତି ନେବେ ରବୀନ୍ଦ୍ର
ବାଲେଶ୍ୱର : ବାଲେଶ୍ୱର ସଦର ଆସନ ପାଇଁ ପୂର୍ବତନ କାଉନ୍ସିଲ୍ର ତଥା ବିଜେଡି ପୌରାଞ୍ଚଳ ସଭାପତି ସ୍ବରୂପ ଦାସଙ୍କୁ ଆଜି ପ୍ରାର୍ଥୀ ଘୋଷଣା ପରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସ୍ବରୂପଙ୍କ ପ୍ରାର୍ଥିତ୍ବକୁ ରବୀନ୍ଦ୍ରଙ୍କ ସମର୍ଥକମାନେ ଖାଲି ବିରୋଧ କରିନାହାନ୍ତି, ଦଳରୁ ଇସ୍ତଫା ଦେବାକୁ ମଧ୍ୟ ଖୋଲାଖୋଲି ଧମକ ଦେଇଛନ୍ତି।ପ୍ରାର୍ଥୀ ଘୋଷଣା ପରଠାରୁ ରବୀନ୍ଦ୍ରଙ୍କ ଘର ଓ ଅଫିସ୍ ସମ୍ମୁଖରେ ସମର୍ଥକଙ୍କର ଭିଡ଼ ଜମିଥିଲା। ସନ୍ଧ୍ୟାରେ ରବୀନ୍ଦ୍ର ଅଫିସ୍ରେ ପହଞ୍ଚିବା ପରେ ସମର୍ଥକମାନେ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ। ହେଲେ ରବୀନ୍ଦ୍ର ସେମାନଙ୍କୁ ବୁଝାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ କହିବା ସହ ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରକାର ଟିପ୍ପଣୀ ନଦେବାକୁ କହିଥିଲେ। ଅନ୍ୟପକ୍ଷରେ କର୍ମୀ ଓ ସମର୍ଥକଙ୍କ ସହ ଆଲୋଚନା ପରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ସେ ତାଙ୍କର ନିଷ୍ପତ୍ତି ଜଣାଇବେ ବୋଲି ରବୀନ୍ଦ୍ର ଆଜି ଗଣମାଧ୍ୟମକୁ କହିଛନ୍ତି।
The post ବାଲେଶ୍ୱରରୁ ନୂଆ ଚେହେରା : ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ପ୍ରତିକ୍ରିୟା first appeared on Sambad.
from ଜିଲ୍ଲା – Sambad https://ift.tt/3dmy9Fv
0 Comments