କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାର ଗୁଡିକୁ ମାଗଣା ଖାଦ୍ୟଶସ୍ୟ ସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସାନି ସତ୍ୟପାଠ ଦାଖଲ କରାଯାଇଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀର ୩ ବର୍ଷ ପରେ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଥିଲେ। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାସନ କାର୍ଡ ନଥିବା ୧୧.୧୦ ଲୋକଙ୍କୁ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାର ପ୍ରଦାନ କରିଥିଲେ। ୨୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଯୋଜନା ଧାର୍ଯ୍ୟ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୫୩,୦୦୦ ପରିବାରର ୧୧ ଲକ୍ଷ ୧୦ ହଜାର ୭ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହିତ ଶିଶୁ ଓ ଗର୍ଭବତୀ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ହିତାଧିକାରୀଙ୍କ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ ସାମନ୍ତରାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି।

ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟରେ ଏପରି ବହୁ ପରିବାର ରହିଛନ୍ତି ଯେଉଁ ମାନଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ସେମାନେ ରାସନ କାର୍ଡ ପାଇ ପାରିନାହାନ୍ତି।

The post ହାଇକୋର୍ଟରେ ସରକାରଙ୍କ ସାନି ସତ୍ୟପାଠ : ୮୦ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ first appeared on Sambad.



from ଜିଲ୍ଲା – Sambad https://ift.tt/34QmAmb