
ପିପିଲି : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ବିଜେପି ଆନ୍ଦୋଳନ ଚଳାଇଥିବାବେଳେ ବିକ୍ରି କବଲା ରଦ୍ଦ ଦାବିରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରୁ ନବୀନ ନିବାସକୁ ଗତକାଲିଠାରୁ ପଦଯାତ୍ରା ଆରମ୍ଭ କରିଥିଲା। ଗତକାଲି ରାତିରେ ଏହି ପଦଯାତ୍ରା ପିପିଲି ସାତଶଙ୍ଖ ଠାରେ ଅଟକିଥିଲା। ଆଜି ସକାଳୁ ପୁଣି ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରାକୁ ମଙ୍ଗଳପୁର, ଦାଣ୍ତମୁକୁନ୍ଦପୁର, ବ୍ଲକ୍ଛକ, ହାଟଛକ, ପିପିଲି ଶାସନ, ଯଇଶପାଟଣା, ଗୁଡ଼ିଆପୋଖରୀ ଓ ଉତ୍ତରା ଆଦି ଛକରେ ଦଳୀୟ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ। ପଦଯାତ୍ରା ଅପରାହ୍ଣ ପ୍ରାୟ ୫ଟାରେ ଉତ୍ତରା ଛକରେ ପହଞ୍ଚିଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା କମିସନରେଟ ପୁଲିସର ୪ ପ୍ଲାଟୁନ୍ ଫୋର୍ସ, ଡିସିପିଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀ ପଦଯାତ୍ରାକୁ ଅଟକାଇଥିଲେ। ସେଠାରୁ ପୁଲିସ ବିଜେପି କର୍ମୀମାନଙ୍କୁ ଉଠାଇ ନେଇ ପୁରୀରେ ଛାଡ଼ିଛି।
ପଦଯାତ୍ରା ଭୁବନେଶ୍ବରରେ ପହଂଚିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଦଳୀୟ ବିଧାୟକ, ବରିଷ୍ଠ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହୋଇ ନବୀନ ନିବାସ ଯିବାର କାର୍ଯ୍ୟକ୍ରମ ଥିଲା। ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜମି ବିକ୍ରି କବଲା ରଦ୍ଦ କରିବା ସହ ୬ ଜଣ ଲଜିଂ ମାଲିକଙ୍କୁ ପ୍ଲଟିଂ କରି ବଗଲା ଜମି ବିକ୍ରି କରିଥିବା ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ସେହିପରି ପୁରୁଣା ଜେଲ ଜମିକୁ ସଦର ଚିକିତ୍ସାଳୟରେ ମିଶ୍ରଣ କରିବା ମଧ୍ୟ ଦଳର ଅନ୍ୟ ଏକ ଦାବି ରହିଛି।
ପୁରୀ ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ପୁରୀରୁ ବାହାରିଥିବା ଏହି ପଦଯାତ୍ରାରେ ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଭଂଜନ ମହାପାତ୍ର, ଉପ ସଭାପତି ଜନ୍ମେଜୟ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓମପ୍ରକାଶ ମିଶ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, ସୌମ୍ୟକାନ୍ତ ଦାଶ, ଯୁବନେତା ଗଦାଧର ପରିଡ଼ା, ଦେବୀପ୍ରସାଦ ମଲ୍ଲିକ, ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ମଣ୍ଡଳ ସଭାପତି ପଶୁର୍ରାମ ମହାପାତ୍ର, ପ୍ରଦୀପ ପାତ୍ର, ସୁଧୀର ବିଶ୍ବାଳ, ବରିଷ୍ଠ ନେତା ଅନୁପ ପରିଡ଼ା ଓ ସୁକାନ୍ତ ଦାଶ ପ୍ରମୁଖ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ପୂର୍ବତନ ସଭାପତି ପ୍ରଭଂଜନ ମହାପାତ୍ରଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଅଲୋଚନା କରିଥିଲେ। ଡିସିପି ଉମାଶଙ୍କର ଦାଶ ବିଜେପିର ଦାବିପତ୍ର ଗ୍ରହଣ କରିଥିଲେ।
The post ବିଜେପି ପଦଯାତ୍ରୀଙ୍କୁ ଉଠାଇନେଲା ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/3427Q4r
0 Comments