
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ସାରୁଅ ନିକଟରେ ବୈଦ୍ୟୁତିକ ଗଣମାଧ୍ୟମ ‘ଓଟିଭି’ ବିରୋଧରେ ଜମି ଜବରଦଖଲ ମାମଲା ଆଜି ଭିନ୍ନ ମୋଡ଼ ନେଇଛି। ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସାରୁଅ ଗାଁ ପୋଖରୀକୁ ଅବରୋଧ କରି ରଖିଥିବା ଓଟିଭି କାର୍ଯ୍ୟାଳୟର ପାଚେରିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସେହିପରି ଜମି ଜାଲିଆତି ଘଟଣାରେ ଖୋର୍ଦ୍ଧା ପୁଲିସ ଓଟିଭି ଏମ୍ଡିଙ୍କ ବାପାଙ୍କୁ ଜେରା କରିବାକୁ ଯାଇଥିବାବେଳେ ତାଙ୍କୁ ସେଠାରେ ନ ପାଇ କାନ୍ଥରେ ନୋଟିସ୍ ଲଟକାଇ ଫେରିଆସିଛି।
ଓଟିଭି ସହଯୋଗୀ ସଂସ୍ଥା ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ସାରୁଅ ଜମି ଜାଲିଆତିର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚ ହାତକୁ ନେଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାରୁଅ ଠାରେ ଥିବା ଓଟିଭି–ତରଙ୍ଗ କ୍ୟାମ୍ପସ୍ର ପାଚେରିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଏହି ପାଚେରି ନିର୍ମାଣ ଦ୍ବାରା ସାରୁଅ ଓ ଜୟମଙ୍ଗଳ ଗାଁ ଲୋକଙ୍କ ଗାଁ ପୋଖରୀ ଯିବା ରାସ୍ତା ଅବରୋଧ ହେଉଥିଲା ଓ ନିଜ ଜମିକୁ ପାଣି ମାଡ଼ୁନଥିଲା ବୋଲି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ବେଗୁନିଆ ତହସିଲଦାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ତେବେ ଓଟିଭି ପକ୍ଷରୁ ଭଙ୍ଗା ଯାଇ ନ ଥିବାରୁ ଆଜି ଉପଜିଲ୍ଲାପାଳ ଅଶୋକ ବେଉରିଆ, ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ତଳଙ୍କ ନେତୃତ୍ବରେ ପ୍ରଶାସନ ବୁଲଡୋଜର ଲଗାଇ ଏହି ପାଚେରିକୁ ଭାଙ୍ଗିଛି। ଏନେଇ ଉପଜିଲ୍ଲାପାଳ ଶ୍ରୀ ବେଉରିଆ କହିଛନ୍ତି ଯେ ସାରୁଅଠାରେ କିଛି ନିର୍ମାଣ ଯୋଗୁଁ ପ୍ରାକୃତିକ ଜଳସ୍ରୋତ ଅବରୋଧ ହେଉଥିଲା। ନିୟମାନୁସାରେ ଏହା ହଟାଇବାକୁ ନୋଟିସ୍ ଜାରି କରାଯାଇଥିଲା। ଆଜି ଚାଷଜମିକୁ ଜଳ ଯେଭଳି ଯାଇପାରିବ ତାକୁ ଦୃଷ୍ଟିରେ ରଖି ପାଚେରିକୁ ଭଙ୍ଗାଯାଇଛି।
ଅପରପକ୍ଷେ, ଜମି ଜବରଦଖଲକୁ ନେଇ ଓଟିଭିର ଏମ୍ଡିଙ୍କ ବାପା ଧମକଚମ ଦେଉଥିବା ନେଇ ଗାଁର କିଛି ଲୋକ ବାଘମାରି ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ତଦନ୍ତ କରିବାକୁ ଏସ୍ପି ଅଜୟ ପ୍ରତାପ ସ୍ବାଇଁ ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କୁ ଦାୟିତ୍ବ ଦେଇଥିଲେ। ଏସ୍ଡିପିଓ କାର୍ଯ୍ୟାଳୟରେ ହାଜିର ହୋଇ ନିଜର ମତ ରଖିବାକୁ ପୁଲିସ୍ ଓଟିଭି ଏମ୍ଡିଙ୍କ ବାପା ରଣଧୀର ସିଂହ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲା। କିନ୍ତୁ ସେ ନଆସିବାରୁ ଆଜି ଅନ୍ୟ ପୁଲିସ କର୍ମଚାରୀ ସହ ସାରୁଅସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ସେଠାରେ ସେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସାରୁଅସ୍ଥିତ କମ୍ପାନି କାର୍ଯ୍ୟାଳୟରେ ନୋଟିସ ଲଟକାଇ ଫେରିଛନ୍ତି। ଏନେଇ ଏସ୍ଡିପିଓ ଶ୍ରୀ ମିଶ୍ର କହିଛନ୍ତି ଯେ ବାର୍ଦ୍ଧକ୍ୟବସ୍ଥା ଯୋଗୁଁ ଜେରା ପାଇଁ ଡାକିଥିବାରୁ ସେ ଆସିନଥିଲେ। ଏଣୁ ଆମେ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ। ଦୀର୍ଘ ପ୍ରଚେଷ୍ଟା ପରେ ମଧ୍ୟ ତାଙ୍କୁ ଭେଟି ପାରିଲୁନାହିଁ କି ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିଲା ନାହିଁ। ଶେଷରେ ଆସନ୍ତାକାଲି ଜେରାର ସମ୍ମୁଖୀନ ହେବାକୁ ନୋଟିସ୍ ଦେଇ ଫେରିଆସିଛୁ ବୋଲି ସେ କହିଛନ୍ତି।
The post ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ପାଚେରି ଭାଙ୍ଗିଲା ପ୍ରଶାସନ first appeared on Sambad.
from ଜିଲ୍ଲା – Sambad https://ift.tt/3j37u1N
0 Comments