ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି ଜଗନ୍ନାଥ ସେନା। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଉଭୟଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର୍ କରିଛନ୍ତି। ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନ ହୋଇ ଜଗନ୍ନାଥ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ପୁରୀର ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ଼ ନେଇ ପୁରୀରେ ଥାନାରେ ଏତଲା ଦେଇଥିଲା ଜଗନ୍ନାଥ ସେନା । ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେଇଥିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ ଆଣି ପ୍ରଶ୍ନ ଉଠାଇଥିଲା ଜଗନ୍ନାଥ ସେନା ।
ସେନା ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବିଧାୟକ ଉମା ସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଅଭିଯୋଗ କରିଥିଲେ ପ୍ରିୟଦର୍ଶନ ପଟ୍ଟନାୟକ । ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି । ଏହା ପରେ ବି କିପରି ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ସେନା ପକ୍ଷରୁ ଏ ନେଇ ଅଭିଯୋଗ ହୋଇଥିଲା । କରୋନା କାଳରେ ଅନ୍ତିମ ସଂସ୍କାରରେ ସୀମିତ ଲୋକଙ୍କ ସାମିଲ ହେବା ନେଇ ସରକାର ନିୟମ କରିଛନ୍ତି । ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲା ଜଗନ୍ନାଥ ସେନା।
The post କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା first appeared on Sambad.
from ଜିଲ୍ଲା – Sambad https://ift.tt/3lGQQ9X
0 Comments