
କଟକ : କେଉଁ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, ସେ ନେଇ ଆଜି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ତଥ୍ୟ ଦାଖଲ କରାଯାଇଛି। ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସଂକ୍ରାନ୍ତ ତଥ୍ୟ ହାଇକୋର୍ଟରେ ଦାଖଲ ହୋଇଥିବା ବେଳେ ଏ ସଂପର୍କିତ ଆବେଦନର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଥିଲେ। ସେହି ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ ସେପ୍ଟେମ୍ବର ୨୩ରେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜିଲ୍ଲାରେ ଥିବା ଅଦାଲତ ଗୁଡିକରେ ସାଂସଦ ଓ ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଥିବା ମାମଲା ସଂପର୍କିତ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ଅପରାଧିକ ମାମଲା ଗୁଡିକର ତ୍ବରିତ ଶୁଣାଣି ଓ ଶୀଘ୍ର ଟ୍ରାଏଲ ଶେଷ କରିବା ପାଇଁ ରହିଥିବା ଭିତ୍ତିଭୂମି ଯଥା କର୍ମଚାରୀ, କାର୍ଯ୍ୟାଳୟ ଇତ୍ୟାଦି ପ୍ରସଂଗରେ ମଧ୍ୟ ସବିଶେଷ ବିବରଣୀ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ ସାଂସଦ/ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରସଂଗରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି।
The post କେଉଁ ରାଜନେତାଙ୍କ ବିରୋଧରେ କେତେ ମାମଲା ବିଚାରାଧୀନ? ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ first appeared on Sambad.
from ଜିଲ୍ଲା – Sambad https://ift.tt/3o95V6g
0 Comments