ବାରିପଦା : ମୟୂରଭଞ୍ଜରେ ନକଲି ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଜିଲ୍ଲା ପ୍ରଶାସନକୁ ପତ୍ର ଲେଖିଥିବା ଜଣାପଡ଼ିଛି। ବିଭାଗର ଅନୁସଚିବ ମିନତି ଭୂୟାଁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଲେଖିଥିବା ପତ୍ରରେ ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି।

ୟୁଜିସି ପକ୍ଷରୁ ମୟୂରଭଞ୍ଜରେ ‘ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଫ୍‌ ଏଗ୍ରିକଲ୍‌ଚର ଏଣ୍ଡ ଟେକ୍ନୋଲୋଜି’ ନାମରେ ଏକ ନକଲି ବିଶ୍ବବିଦ୍ୟାଳୟ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ୟୁଜିସି ପକ୍ଷରୁ ଉପରୋକ୍ତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ସେପରି କୌଣସି ଅନୁଷ୍ଠାନ ନାହିଁ। ତଥାପି ଦୀର୍ଘବର୍ଷ ହେବ ଏହି ନକଲି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିଆସୁଛି। ଏହା ଜାଣିବା ପରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି) ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲା। ଏହାପରେ ଉଚ୍ଚଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ଏହି ବିଶ୍ବବିଦ୍ୟାଳୟର ବାସ୍ତବତା ସମ୍ପର୍କରେ ତଦନ୍ତ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଉଚ୍ଚଶିକ୍ଷା ବିଭାଗ ଅନୁସଚିବ ମିନତି ଭୂୟାଁ ପତ୍ର ଲେଖିଛନ୍ତି। ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଏହିପରି ଆହୁରି ଏକ ନକଲି ବିଶ୍ବବିଦ୍ୟାଳୟ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ କାର୍ଯ୍ୟ କରୁଥିବା ୟୁଜିସି ପ୍ରକାଶ କରିଛି।

The post ମୟୂରଭଞ୍ଜରେ ନକଲି ବିଶ୍ବବିଦ୍ୟାଳୟ ପ୍ରସଙ୍ଗ : ତଦନ୍ତ ପାଇଁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ବିଭାଗ first appeared on Sambad.



from ଜିଲ୍ଲା – Sambad https://ift.tt/3kf4sJ5