ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାର ଘୁମୁସର ବନାଞ୍ଚଳ ଉପଖଣ୍ଡ ମୋବାଇଲ୍ ସ୍କ୍ଵାଡ୍ ଦ୍ୱାରା ଏକ ଶାଗୁଆନ୍ ଓ ଗମ୍ଭାରୀ କାଠ ବୋଝେଇ ବୋଲେରୋ ଜବତ ହୋଇଛି। ଏହି ପିକ୍ ଅପର ନମ୍ବର୍ ଓଡି ୨୦-୨୦୫୦I ସ୍କ୍ଵାଡକୁ ଦେଖି ଗାଡ଼ିର ଡ୍ରାଇଭର ଓ ବେପାରୀ ଜଙ୍ଗଲ ରାସ୍ତା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି I ଆସ୍କା ରେଞ୍ଜ ହତାରେ ଗାଡ଼ିକୁ ରଖି ବନ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି I
ଉକ୍ତ ଗାଡ଼ିରେ ୧୫ଟି ଶାଗୁଆନ୍ ଏବଂ ୧୫ଟି ଗମ୍ଭାରୀକୁ ମିଶାଇ ତିରିଶ ଖଣ୍ଡ କାଠଗଣ୍ଡି ଥିବା ଜଣାପଡ଼ିଛି I ସମସ୍ତ କାଠ ୭୦ ଘନ ଫୁଟରୁ ଅଧିକ ଯାହାର ମୂଲ୍ୟ ପାଖାପାଖି ଦୁଇ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି I

ଖବର ନେବାରୁ ଜଣାପଡ଼ିଛି ଯେ କାଠ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଏକ ଫୋନ୍ ଆସିବା ପରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ନିର୍ଦେଶକ୍ରମେ ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକଙ୍କ ତତ୍ତ୍ୱାବଧାନରେ ଡିଭିଜନ ମୋବାଇଲ୍ ଇନଚାର୍ଜ ସୂର୍ଯ୍ୟମଣି ସେଠୀ ବୁଧବାର ରାତି ସାଢେ ୮ଟା ସମୟରେ ତାଙ୍କ ଟିମ୍ ସହ ଧରାକୋଟ ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଜାହାଡ଼ା ମଝି ଜଙ୍ଗଲ ରାସ୍ତାରେ ଜଗିଥିଲେ I ସେହି ସମୟରେ କାଠ ବୋଝେଇ ବୋଲେରୋ ପିକ୍ ଅପକୁ ସେମାନେ ଅଟକାଇଥିଲେ। ଏହା ଦେଖି ଡ୍ରାଇଭର୍ ଓ ବେପାରୀ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ରାସ୍ତା ଦେଇ ଚମ୍ପଟ୍ ମାରିଥିଲେI

କାଠ ବୋଝେଇ ବୋଲେରୋ ପିକ୍ ଅପ୍ ସିଙ୍ଗିପୁର ଜଙ୍ଗଲରୁ ଏହି ମୂଲ୍ୟବାନ୍ କାଠକୁ ଧରାକୋଟ ଦେଇ ସୋରଡ଼ା ବ୍ଲକ୍ ବଡ଼ଗଡ଼ ନିକଟ ଗାଙ୍ଗପୁର ଅଭିମୁଖେ ଯାଉଥିବା ବନ ବିଭାଗ ସନ୍ଦେହ କରୁଛିI ଗାଡ଼ିର ନମ୍ବରକୁ ଟ୍ରାକ୍ କରି ଚୋରା ବେପାରୀଙ୍କୁ ଧରିବା ଯୋଜନା ରଖିଛି ବନ ବିଭାଗ I ଚଢ଼ଉରେ ଗେଟ୍ କିପର୍ କୃଷ୍ଣ ନାୟକ, ଟୁଟୁ ବିଷୋୟୀ ଓ ପାରା ସ୍କ୍ଵାଡ୍ ପ୍ରମୁଖ ଭାଗ ନେଇଥିଲେ I ଆସ୍କା ଓ ସୋରଡ଼ା ବନ ବିଭାଗର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ I

The post ମୋବାଇଲ୍ ସ୍କ୍ଵାଡ୍ ଦ୍ୱାରା ଚୋରା କାଠ ବୋଝେଇ ବୋଲେରୋ ପିକ୍ ଅପ୍ ଜବତ, ଗାଡ଼ି ଛାଡ଼ି ବେପାରୀ ଫେରାର୍ first appeared on Sambad.



from ଜିଲ୍ଲା – Sambad https://ift.tt/3dTKzoO