
ଯାଜପୁରଟାଉନ/ସଦର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାର୍ବଣ ଯାତ୍ରା ଓ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି।
ଗତକାଲିଠାରୁ ଚାଲିଥିବା ଯଜ୍ଞରେ ଆଜି ସକାଳ ୭ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହାପରେ ମନ୍ଦିର ପହଡ଼ ପଡ଼ିଥିଲା। ୮ଟା ୩୦ ମିନିଟରେ ମା’ଙ୍କ ପହଡ଼ ଖୋଲାଯାଇ ସ୍ନାନ ଓ ନାନାଦି ବେଶ କାର୍ଯ୍ୟ ଦିନ ୧୨ଟାରେ ସମାପନ କରାଯାଇଥିଲା। ଦିନ ୨ଟାରୁ ୪ ଟା ପର୍ଯ୍ୟନ୍ତ ତର୍ପଣ କାର୍ଯ୍ୟ ଅପରାହ୍ଣ ୪ଟାରେ ଶେଷ ହେବା ପରେ ୪ଟା ୩୦ ମିନିଟରେ ନିତି ଲାଗି କରାଯାଇଥିଲା। ସନ୍ଧ୍ୟା ୫ଟାରେ ପହଡ଼ ଖୋଲାହେବା ପରେ ୫ଟା ୩୦ ମିନିଟରେ ଆଜିର ରଥଯାତ୍ରା ଆରମ୍ଭ ହୋଇଥିଲା।

ଆଦ୍ୟଦୁର୍ଗାଙ୍କ ନିକଟରୁ ରଥଯାତ୍ରା ଆରମ୍ଭ କରାଯାଇ ମନ୍ଦିର ସମ୍ମୁଖକୁ ରଥ ଅଣାଯାଇଥିଲା। ରଥରୁ ଆର୍ଶା ଦଣ୍ଡ, ଛତ୍ର, ତରାଶ ଅବତରଣ ପରେ ମନ୍ଦିର ପ୍ରବେଶ କରାଯାଇଥିଲା। ପରେ ସନ୍ଧ୍ୟା ଆଳତି ହୋଇଥିଲା। ଆଜି ଲାଖବିନ୍ଧା ଯାତ୍ରା ଥିବାରୁ ମନ୍ଦିର ପ୍ରଶାସନ ଓ ସେବାୟତ ପରିଷଦ ମଧ୍ୟରେ ଆଲୋଚନା କରି ରାତିର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ରାତି ୧୦ଟାରେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ମୁଣ୍ଡରେ ଶିରିପା ଓ ଆର୍ଶା, ସେବାୟତ ଦିଗାମ୍ବର ପାଣିଙ୍କ ମୁଣ୍ଡରେ ଶିରିପା ବନ୍ଧା ହୋଇଥିଲା। ପରେ ଲାଖବିନ୍ଧା ଯାତ୍ରା ଆରମ୍ଭ କରାଯାଇଥିଲା। ନହରପଦା କୀର୍ତ୍ତନ ମଣ୍ଡଳୀଙ୍କ ଉପସ୍ଥିତିରେ ମା’ଙ୍କ ବିଜୟ ପ୍ରତିମାକୁ ରଥରୁ ଅବତରଣ କରାଯାଇଥିଲା।
ଛତ୍ର ସେବାୟତ ସୁଶାନ୍ତ ରଣା, ରବୀନ୍ଦ୍ର ରଣା, ତରାଶ ସେବାୟତ ଶିବ ପ୍ରସାଦ ରଣାଙ୍କ ଉପସ୍ଥିତିରେ ସାମାଜିକ ଦୂରତା ଓ ମାସ୍କ ପରି଼ଧାନ କରି ପରମ୍ପରା ଅନୁଯାୟୀ ବିରଜା ହାଇସ୍କୁଲ ଛକ ଦେଇ ଲାଖବିନ୍ଧା ପଡ଼ିଆକୁ ଯାତ୍ରା କରାଯାଇଥିଲା। ସେଠାରେ ବିଭିନ୍ନ ପୂଜା କରାଯିବା ସହିତ ଲାଖବିନ୍ଧା କାର୍ଯ୍ୟ ସମାପନ ହୋଇଥିଲା। ଉପସ୍ଥିତ ଥିବା ଜମିଦାର ଗୋପାଳକୃଷ୍ଣ ପତିଙ୍କ ମୁଣ୍ଡରେ ଶିରିପା ଓ ଲାଖ ସେବାୟତ ଗୋପାଳ ଚନ୍ଦ୍ର ପାଣିଙ୍କ ମୁଣ୍ଡରେ ଶିରିପା ବନ୍ଧା ଯାଇଥିଲା। ସମସ୍ତ କାର୍ଯ୍ୟ ସଂପନ୍ନ ପରେ ନହରପଦା ଗ୍ରାମ ଦେଇ ମା’ଙ୍କ ବିଜୟ ପ୍ରତିମାକୁ ଅଣାଯାଇଥିଲା।
The post ଶେଷ ହେଲା ମା’ ବିରଜାଙ୍କ ଦୁର୍ଗୋତ୍ସବ ଓ ରଥଯାତ୍ରା first appeared on Sambad.
from ଜିଲ୍ଲା – Sambad https://ift.tt/2HCOKsI
0 Comments