ନରସିଂହପୁର : ନରସିଂହପୁର ଥାନା ଅଧିକାରୀଙ୍କ ସହିତ ଥାନାର ଜଣେ ମହିଳା କର୍ମଚାରୀଙ୍କ ଆପତ୍ତିଜନକ ସମ୍ପର୍କ‌ର ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲିବା‌ ତଥା ଉକ୍ତ ଭିଡିଓକୁ ନେଇ ସଂପୃକ୍ତ ମହିଳାଙ୍କ ସ୍ବାମୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିବା ଘଟଣା ଗତ କିଛିଦିନ ହେଲା ଏହି ଅଞ୍ଚଳରେ ଚର୍ଚାର ମୁଖ୍ୟ ବିଷୟ ପାଲଟିଛି। ଏ ଖବର ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଆଜି ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଜେନା ନରସିଂହପୁରକୁ ଆସି ଥାନା କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସଂପୃକ୍ତ ମହିଳା କର୍ମଚାରୀଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି।

ଖବର ମୁତାବକ, ନରସିଂହପୁର ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ସହ ଥାନାଧିକାରୀଙ୍କର ଆପତ୍ତିଜନକ ସମ୍ପର୍କ ରହିଛି ବୋଲି ଉକ୍ତ ମହିଳା କର୍ମଚାରୀଙ୍କ ସ୍ୱାମୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହାପରେ ଥାନାଧିକାରୀ ଓ ଉକ୍ତ ମହିଳାଙ୍କ ସମ୍ପର୍କରେ ସମଗ୍ର ନରସିଂହପୁରରେ ଚର୍ଚା ବଢ଼ିଛି। ମହିଳାଙ୍କ ସ୍ବାମୀ ନରସିଂହପୁରରୁ ବାହାରେ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ଲକ୍‌ଡାଉନ୍‌ ପରଠାରୁ ସେ ନରସିଂହପୁର ଆସି ପରିବାର ସହ ଭଡ଼ାଘରେ ରହୁଥିଲେ। ଏହି ଭିଡିଓ ଭାଇରାଲ ସମୟରୁ ସେ କେଉଁଆଡ଼େ ଚାଲିଯାଇଛନ୍ତି। ଅପରପକ୍ଷରେ ଥାନା ଅଧିକାରୀ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଛନ୍ତି। ଆଜି ସେ ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବା କଥା। ମାତ୍ର ସେ ଆଜି ଯୋଗଦେଇ ନଥିବାରୁ ଏହାକୁ ନେଇ ଚର୍ଚା ଅଧିକ ବଢ଼ିଛି।

ଘଟଣା ସମ୍ପର୍କରେ ଜାଣିବା ପରେ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଜି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଜେନା ନରସିଂହପୁର ଥାନାରେ ପହଞ୍ଚି ଏ ସମ୍ପର୍କରେ ସମସ୍ତ ଥାନା କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ଘରକୁ ଯାଇ ତାଙ୍କର ମଧ୍ୟ ବୟାନ ରେକର୍ଡ କରିଥିବା ଜଣାପଡିଛି।

The post ଥାନା ଅଧିକାରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ : ମହିଳା କର୍ମଚାରୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା! first appeared on Sambad.



from ଜିଲ୍ଲା – Sambad https://ift.tt/3lXdCdN