
ରାଉରକେଲା : କରୋନା ଆକ୍ରାନ୍ତଙ୍କୁ ସେବା କରୁ କରୁ ନିଜେ ସଂକ୍ରମିତ ହୋଇ ଶୁକ୍ରବାର ରାତିରେ ପ୍ରାଣ ହରାଇଥିବା ଆଇଜିଏଚ୍ ଡିଏନ୍ବି ଛାତ୍ରୀ ପ୍ରିୟାଶ୍ରୀଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି। ଭାଇ ଅଭିନବ ରଞ୍ଜନ ମୁଖାଗ୍ନି ଦେଇଥିଲେ। ସେଠାରେ ମୃତକଙ୍କ ପିତା ପ୍ରଜାପତି ପ୍ରସାଦ ସିଂହ ଓ ଆଉ ଜଣେ ସଂପର୍କୀୟ ଭାଇ ଉପସ୍ଥିତ ଥିଲେ। ଶେଷକୃତ୍ୟ ସଂପନ୍ନ କରିବା ପୂର୍ବରୁ କୋଭିଡ ଯୋଦ୍ଧା ପ୍ରିୟାଶ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ଏସ୍. ନରୱଣେ, ଆର୍ଏମ୍ସି ଡେପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଆଇଜିଏଚ୍ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରୀୟାଶ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ସିଧାସଳଖ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପା ଶ୍ରୀ ସିଂ ଅଭିଯୋଗ କରିଛନ୍ତି, ଝିଅ ସଂକ୍ରମିତ ହେବାପରେ କିଛି ଦିନ ଆଇସୋଲେସନ ଓ ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ପ୍ରିୟାଶ୍ରୀଙ୍କ ସ୍ଥାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ଆଇଜିଏଚ୍ କର୍ତୃପକ୍ଷ ଫୋନ୍ ମାଧ୍ୟମରେ ଜଣାଇଥିଲେ। ସେତେବେଳେ ଏୟାରଲିଫ୍ଟ କରି ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ନିବେଦନ କରିଥିଲି। ଏମିତିକି ସବୁ ଖର୍ଚ୍ଚ ନିଜେ ବହନ କରିବାକୁ ବି ପ୍ରତିଶ୍ରୁତି ଦେଇଥିଲି। ମାତ୍ର କୌଣସି ପ୍ରତ୍ୟୁତ୍ତର ଆସିନଥିଲା। ଦୁର୍ଭାଗ୍ୟର ବିଷୟ, ପ୍ରିୟାଶ୍ରୀ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣେ ହେଲେ ଆଇଜିଏଚ୍ କର୍ତୃପକ୍ଷ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଆସି ନ ଥିଲେ। ସଂକ୍ରମଣ ଆଶଙ୍କାରୁ ପାଖକୁ ଯାଇ ନ ଥାନ୍ତେ, ମାତ୍ର ଝିଅର ସମ୍ମୁଖରେ ଛିଡ଼ା ହୋଇଥିଲେ, ଝିଅର ମନୋବଳ ବଢ଼ିଥାନ୍ତା ବୋଲି ଲୁହଭିଜା ଆଖିରେ କହିଛନ୍ତି ଶ୍ରୀ ସିଂହ। ଝିଅକୁ ମନେ ପକାଇ ଶ୍ରୀ ସିଂ କହିଛନ୍ତି, ‘ପ୍ରିୟାଶ୍ରୀ ବଡ଼ ଝିଅ ଥିଲା। ମା’ ଚାଲିଗଲା ପରେ ସେ ଛୋଟ ଭାଇ, ଭଉଣୀଙ୍କ ସୁଃଖଦୁଃଖ ବି ବୁଝିଥିଲା। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖୁଥିଲା। ହେଲେ ତା’ର ସ୍ବପ୍ନ ଅଧୁରା ରହିଗଲା। କୋଭିଡ ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ସେବାରେ ବ୍ରତୀ ରହି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ପ୍ରିୟାଂଶ୍ରୀ ପାଇଁ ଆମେ ନିଶ୍ଚିତ ଭାବେ ଗର୍ବିତ; ତେବେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଘୋର ଆଇଜିଏଚ୍ କର୍ତୃପକ୍ଷଙ୍କ ଅବହେଳା ଅକ୍ଷମଣୀୟ।’
ବିହାର ନାଳନ୍ଦାରେ ଯୁକ୍ତ ଦୁଇ ଶିକ୍ଷା ଶେଷ କରିବାପରେ ପ୍ରିୟାଶ୍ରୀ ଆର.ଜି. କର ମେଡିକାଲ କଲେଜ ଆଣ୍ଡ୍ ହସପିଟାଲରେ ଏମ୍ବିବିଏସ୍ କରିଥିଲେ। ପରେ ଆଇଜିଏଚ୍ ଡିଏନ୍ବି(ସର୍ଜରି)ରେ ଯୋଗଦେଇଥିଲେ। କରୋନା ରୋଗୀଙ୍କୁ ସେବା ଯୋଗାଇବା ସମୟରେ ଗତ ସେପ୍ଟେମ୍ବର ୧୪ ତାରିଖରେ ସଂକ୍ରମିତ ହେଲେ। ପରେ ଘରେ ଆଇସୋଲେସନରେ ଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ସେପ୍ଟେମ୍ବର ୨୨ ତାରିଖରେ ଆଇଜିଏଚ୍ରେ ଭର୍ତ୍ତି ହୋଇଥିଲେ। ସେଠାରୁ ପ୍ରଥମେ ହାଇଟେକ୍ କୋଭିଡ ହସପିଟାଲ ଓ ପରେ ଜୟ ପ୍ରକାଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶେଷରେ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ ପ୍ରାଣ ହରାଇଥିଲେ।
The post କରୋନାରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ଆଇଜିଏଚ୍ ଅବହେଳା ଯୋଗୁଁ ଝିଅର ଜୀବନ ଗଲା, ଅଭିଯୋଗ ଆଣିଲେ ମୃତ ଡାକ୍ତରୀ ଛାତ୍ରୀଙ୍କ ପରିବାର first appeared on Sambad.
from ଜିଲ୍ଲା – Sambad https://ift.tt/3dPgYgh
0 Comments