
ଫୁଲନଖରା/ଅନୁଗୁଳ : କଟକ-ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଜାଗୁଆର କାର୍ (ଓଡି ୧୪ ସି ୦୦୦୭)ରେ କଟକ ପଟୁ ଭୁବନେଶ୍ବର ଆଡ଼କୁ ଯାଉଥିବା ତିନି ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ (୩୭), ସଦର ଥାନା ଗୋପାଳପୁର ଅଞ୍ଚଳର ଗୌତମ ଦାସ (୪୦) ଓ ତେଲେଙ୍ଗାନା ହାଇଦ୍ରାବାଦରେ ରହୁଥିବା ପ୍ରଣିତ କୁମାର ମଧୁପତି। ଏମାନେ ସମସ୍ତେ ଗୋପାଳପୁରରୁ ଏକ ଶୁଦ୍ଧଘର କାର୍ଯ୍ୟରେ ଯୋଗ ଦେଇ ସାରି ବ୍ରହ୍ମପୁର ଫେରୁଥିବା ବେଳେ ଏପରି ଶୋଚନୀୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଦ୍ରୁତ ଗତିରେ ଯାଉଥିବା ଉକ୍ତ କାର୍ଟି ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ବରେ ଥିବା ଏକ ଗଛରେ ପିଟି ହୋଇ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲକୁ ଖସି ପଡ଼ିଥିବା କୁହାଯାଉଛି। ପ୍ରଚଣ୍ତ ଶବ୍ଦ ଶୁଣି ସ୍ଥାନୀୟ ଳୋକେ ସେଠାରେ ପହଞ୍ଚି ଥିଲେ। ଏ ସଂପର୍କରେ ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଣିରେ ବୁଡ଼ି ରହିଥିବା କାର୍ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ମାତ୍ର ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଏହି ମୂଲ୍ୟବାନ କାର୍ଟି ମଧ୍ୟ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ସଦର ଥାନା ପୁଲିସ କାରଟିକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚଳାଇଛି। ଏ ସଂପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଦ୍ରୁତଗତିରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। କିନ୍ତୁ ପୁଲିସ ତଦନ୍ତ ଜାରି ରଖିବା ସହିତ ଆରଟିଓ ପକ୍ଷରୁ ମଧ୍ୟ ଘଟଣାର ଯାଞ୍ଚ କରାଯାଉଛି।
The post କଟକ-ଭୁବନେଶ୍ବର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ପୂର୍ବତନ ସାଂସଦଙ୍କ ପୁଅ ସମେତ ୩ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/31iYyzh
0 Comments