
ଭୁବନେଶ୍ବର/ପୁରୀ: ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କଳାପଦର ଗାଁ’ ମହାନଦୀ କୂଳରେ ଗତକାଲି ଜରି ବସ୍ତାରୁ ମହିଳାଙ୍କ ଶବ ଜବତ ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ମହିଳା ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁ’ର ମୋନାଲି ପଣ୍ଡା(୩୫) ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ତାଙ୍କ ପ୍ରେମିକ ସ୍ବୀକାର କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବଙ୍ଗିଦା ଗାଁ’ର ଅଭିଯୁକ୍ତ ପ୍ରେମିକ ମନୋଜ ନାୟକ ଖୋର୍ଦ୍ଧା ସଦର ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଗଡ଼ିଶାଗୋଦା ଥାନା ପୁଲିସ ଖୋର୍ଦ୍ଧାରୁ ମନୋଜକୁ ଆଣିଥିବା ଜଣାପଡ଼ିଛି। ମୋନାଲିଙ୍କ ସହିତ ମନୋଜଙ୍କ ପ୍ରେମ ସମ୍ପର୍କ ରହିଥିବା ପୁଲିସ ଜାଣିବାକୁ ପାଇଛି। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ପାଟିତୁଣ୍ଡ କ୍ରମେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ତିକ୍ତତା ଆଡ଼କୁ ନେବା ସହ ଶେଷରେ ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ଅନୁମାନ କରୁଛି। ମନୋଜ ମଞ୍ଚେଶ୍ବର ଅଞ୍ଚଳରେ କାମ କରୁଥିବା ବେଳେ ମୋନାଲି ସହିତ ସମ୍ପର୍କ ଗଢ଼ି ଉଠିଥିବା ନେଇ ସୂଚନା ମିଳିଛି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ହତ୍ୟା ମାମଲା ରୁଜୁ ହୋଇ ନାହିଁ। ମୋନାଲିଙ୍କ ନିଖୋଜ ହେବା ପରେ ପରିବାର ପକ୍ଷରୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରାଯାଇନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post ମହିଳାଙ୍କ ଶବ ମିଳିବା ଘଟଣା: ଶବ ଚିହ୍ନଟ, ଅଭିଯୁକ୍ତର ଆତ୍ମସମର୍ପଣ first appeared on Sambad.
from ଜିଲ୍ଲା – Sambad https://ift.tt/2GXKCne
0 Comments