
ବ୍ରହ୍ମପୁର/ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ତଥା ଭଞ୍ଜବିହାର (ବ୍ରହ୍ମପୁର ବିଶ୍ବବିଦ୍ୟାଳୟ) ନିକଟ ମାଣ୍ତିଆପଲ୍ଲୀ ମୋନାର୍କ ଛକ ସରସ୍ବତୀ ଶିଶୁ ମନ୍ଦିର ପଛପାର୍ଶ୍ବ କିଆ ବୁଦାରୁ ୭ଟି ବାର୍ହାଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ବାର୍ହା ଗୁଡ଼ିକ ମଧ୍ୟରୁ ୨ଟି ଅଣ୍ତିରା ଓ ୫ଟି ମାଈ ରହିଥିବା ଜଣାପଡ଼ିଛି। ସେଠାରେ କିଛି ଦୂର ଅଗମ୍ୟ ଘଞ୍ଚ କିଆବୁଦା ଭିତରେ ଆହୁରି କିଛି ବାର୍ହା ମୁମୂର୍ଷୁ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୭ଟି ବାର୍ହାର ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାର୍ହା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି। କେଉଁ ପରିସ୍ଥିତିରେ ବାର୍ହା ଜଙ୍ଗଲରୁ ଆସି କିଆ ବୁଦାରେ ରହିଲେ ତାହା ଉପରେ ବନବିଭାଗ ସବିଶେଷ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଫସଲ ନଷ୍ଟ କରୁଥିବା କାରଣରୁ ଯୋଜନାବଦ୍ଧ ଭାବେ ବାର୍ହା ଗୁଡ଼ିକୁ ବିଷ ଦେଇ ମାରି ଦିଆ ଯାଇଥିବା ସନ୍ଦେହ କରୁଛି ବନ ବିଭାଗ। ବନ୍ୟପ୍ରାଣୀ ସୁରକ୍ଷା ଲାଗି ବନ୍ୟପ୍ରାଣୀ ସପ୍ତାହ ପାଳନ ନିକଟରେ ସରିଛି। ବନପ୍ରାଣୀ ସପ୍ତାହ ପାଳନର ଏକ ସପ୍ତାହ ନ ବିତୁଣୁ ବିଷ ଦେଇ ସମୂହ ବାର୍ହା ହତ୍ୟା କରାଯିବା ଘଟଣା ପରିବେଶପ୍ରେମୀଙ୍କୁ ସ୍ତବ୍ଧ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଉକ୍ତ ଅଞ୍ଚଳ ନିକଟ କିଆ ବୁଦା ଭିତରୁ ପ୍ରବଳ ଦୁର୍ଗନ୍ଧ ଆସୁଥିଲା। ସ୍ଥାନୀୟ କିଛି ଲୋକ ଯାଇ ଦେଖିଥିଲେ। ସେଠାରେ ବାର୍ହା ମରି ପଡ଼ିଥିବା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ସ୍ଥାନୀୟ ଫରେଷ୍ଟର୍ ଘରମଣି ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବନ କର୍ମଚାରୀ ମାନେ ବାର୍ହା ଗୁଡ଼ିକର ଶବ ଉଦ୍ଧାର ବେଳେ ସେଠାରେ ଏକ ଜୀବିତ ବାରହା ମୁମୂର୍ଷୁ ଅବସ୍ଥାରେ ଥିଲା। ବାର୍ହାଟି ଠିକ୍ ଭାବେ ଚାଲି ପାରୁ ନ ଥିଲା। ଲୋକଙ୍କୁ ଦେଖି ସେଠାରୁ ବାର୍ହାଟି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା। କିଆ ବୁଦା ଜଙ୍ଗଲରେ ବିଶାଳକାୟ କିଆ ଗଛ ସବୁ ଥିବା ବେଳେ ତା’ମଧ୍ୟରେ ଆହୁରି ଏକାଧିକ ବାର୍ହା ମୁମୂର୍ଷୁ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ବନବିଭାଗ କର୍ମଚାରୀମାନେ ବୁଦାରୁ ବାର୍ହାଗୁଡ଼ିକର ଶବ ବାହାର କରି ଏକ ଡାଲା ଅଟୋ ଯୋଗେ କରାପଲ୍ଲୀ ପଶୁ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ସେଗୁଡ଼ିକୁ ପୋତି ଦିଆଯାଇଛି। ନିକଟସ୍ଥ ପାହାଡ଼ କିମ୍ବା ଜଙ୍ଗଲରୁ ଏକ ବାର୍ହା ପଲ ଆସି ସେଠାରେ ଗତ କିଛି ଦିନ ହେଲା ବିଚରଣ କରୁଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ମିଳିଛି। ବାରାହ୍ ଫସଲ କ୍ଷତି କରିବା ଆଶଙ୍କା କରି କେହି କୌଣସି ଖାଦ୍ୟ ପଦାର୍ଥରେ ବିଷ ପକାଇ ଦେଇଥିବା କିମ୍ବା ନିକଟରେ ଥିବା ଧାନ ଫସଲରେ କୀଟନାଶକ ପକାଇ ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି। ୨ଟି ବାର୍ହାଙ୍କ ଶବ ଉଦ୍ଧାର ବେଳେ ଗଳିତ ଅବସ୍ଥାରେ ଥିବାରୁ ବାର୍ହା ଗୁଡ଼ିକୁ ଦୁଇ ଦିନ ତଳୁ ବିଷ ଦିଆ ଯାଇଥିବା ଅନୁମାନ କରାଯାଉଛି।
The post ବିଷ ଦେଇ ବାର୍ହାଙ୍କୁ ସମୂହ ହତ୍ୟା! first appeared on Sambad.
from ଜିଲ୍ଲା – Sambad https://ift.tt/3nPOCqI
0 Comments