ଭୋଗରାଇ/ଦେଉଳା: ୧୦ରୁ ୧୫ ମିନିଟ୍‌ ଭିତରେ ୨୦ ଲକ୍ଷ ସଫା। ମଙ୍ଗଳବାର ମଧ୍ୟାହ୍ନରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଚଉକି ୟୁକୋ ବ୍ୟାଙ୍କ ଶାଖାରୁ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨୦ ଲକ୍ଷରୁ ଅଧିକ ଟଙ୍କା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ସିସିଟିଭି ହାର୍ଡଡିସ୍କ ମେସିନ୍‌କୁ ତାଡ଼ି ନେଇ ଯାଇଥିବାବେଳେ ବ୍ୟାଙ୍କ ଭିତରେ ଏକ ହାତବୋମା ଛାଡ଼ିଯାଇଥିଲେ। ପୁଲିସ ତାକୁ ଜବତ କରି ନିଷ୍କ୍ରିୟ କରିଛି। ଏହି ଘଟଣା ପରେ ଭୋଗରାଇ ଓ ଜଳେଶ୍ବର ଥାନା ପୁଲିସ ବାଲେଶ୍ବର ତଥା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରିବା ସହ ଧରପଗଡ଼ ଚଳାଇଛି। ପୁଲିସର ପ୍ରାଥମିକ ଅନୁସନ୍ଧାନ ମୁତାବକ, ବ୍ୟାଙ୍କ ଲୁଟ୍‌ ପଛରେ ପଶ୍ଚିମବଙ୍ଗର ପେସାଦାର ଅପରାଧୀଙ୍କ ହାତ ଥିବା ଜଣାପଡ଼ିଛି।

ସିସିଟିଭି ହାର୍ଡଡିସ୍କ୍‌ ମେସିନ୍‌କୁ ତାଡ଼ିନେଲେ, ପଶ୍ଚିମବଙ୍ଗର ପେସାଦାର ଅପରାଧୀ ସଂପୃକ୍ତ

ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ୩୫ ମିନିଟ୍‌। ୟୁକୋ ବ୍ୟାଙ୍କ ଚଉକି ଶାଖା ଭିତରକୁ ପଶିଥିଲେ ୬ ଜଣ ଯୁବକ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ। କେହି କିଛି ବୁଝିବା ପୂର୍ବରୁ ୩ ଜଣ ଯୁବକ ବ୍ୟାଙ୍କର ଶାଖା ପରିଚାଳକ ବିବେକ ଗୁପ୍ତା, ସହପରିଚାଳକ ଗଣେଶ ପ୍ରସାଦ ମଲ୍ଲିକ, କ୍ୟାସିୟର ସତ୍ୟନାରାୟଣ ନାୟକଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଛୁରି ଲଗାଇ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ ଭିତରକୁ ନେଇ ଯାଇଥିଲେ। ସେତେବେଳେ ବ୍ୟାଙ୍କରେ ପାଖାପାଖି ୨୦ ଜଣ ଗ୍ରାହକ ଥିଲେ। ଅନ୍ୟ ଦୁଇଜଣ ଦୁର୍ବୃତ୍ତ ଗ୍ରାହକମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଏକ ବ୍ୟାଗ୍‌ରେ ଭର୍ତ୍ତି କରିବା ପରେ ସମସ୍ତଙ୍କୁ ଜଗି ରହିଥିଲେ। ଅନ୍ୟ ଜଣେ ଦୁର୍ବୃତ୍ତ ବ୍ୟାଙ୍କ ବାହାରେ ଜଗି ରହିଥିଲା। ବ୍ୟାଙ୍କ ଷ୍ଟ୍ରଙ୍ଗ୍‌ରୁମରେ ଥିବା ଲକରକୁ ଖୋଲିବା ପରେ ଦୁର୍ବୃତ୍ତମାନେ ସେଠାରୁ ସମସ୍ତ ସୁନାଅଳଙ୍କାର ଓ କ୍ୟାସ୍‌ ଚାମ୍ବରରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରି ନିମିଷେକ ମଧ୍ୟରେ ସେଠାରୁ ଚମ୍ପଟ୍‌ ମାରିଥିଲେ। ଦୁଇଟି ବାଇକ୍‌ରେ ଆସିଥିବା ଏହି ୫ ଜଣ ଦୁର୍ବୃତ୍ତ ବଙ୍ଗଳା ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ଗ୍ରାହକମାନେ ପ୍ରକାଶ କରିଛନ୍ତି। ମାତ୍ର ୧୦ରୁ ୧୫ ମିନିଟ୍‌ ଭିତରେ ଏହି କାଣ୍ଡ ଭିଆଇବା ପରେ ଦୁର୍ବୃତ୍ତମାନେ ଜଳେଶ୍ବର ପଟକୁ ପଳାଇଥିଲେ। ଏଠାରୁ ପଶ୍ଚିମବଙ୍ଗର ଦୀଘା ମାତ୍ର ୧୨ କିଲୋମିଟର। ତେଣୁ ଗଳାବାଟ ଦେଇ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗକୁ ପଳାଇଥିବା ଅପାତତଃ ସ୍ପଷ୍ଟ ହୋଇଛି। ବ୍ୟାଙ୍କ ଲୁଟିବା ପାଇଁ ଅପରାଧୀମାନେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ପୁଲିସ ସନ୍ଦେହ କରୁଛି। କାରଣ ୟୁକୋ ବ୍ୟାଙ୍କର ଏହି ଶାଖାରେ ମାତ୍ର ୫ ଜଣ କର୍ମଚାରୀ କାମ କରୁଛନ୍ତି। ଛୋଟ ଶାଖା ହୋଇଥିବାରୁ ଡକାୟତମାନେ ଲୁଟିବା ସହଜ ହେବ ଭାବି ଏହାକୁ ଟାର୍ଗେଟ୍‌ କରିଥିବା କୁହାଯାଉଛି। ତେବେ ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ହାତ ଅଛି ନା ନାହିଁ ସେ ସଂପର୍କରେ ପୁଲିସ ଖୋଳତାଡ଼ ଚଳାଇଛି।

ଖବର ପାଇବା ପରେ ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ, ବାଲେଶ୍ବରସ୍ଥିତ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ପ୍ରଣବ କୁମାର ବିଶ୍ବାସ, ଏଲ୍‌ଡିଏମ୍ ସୁଦୀପ ଡାକୁଆ, ସିକ୍ୟୁରିଟି ଅଫିସର ସୌମିତ୍ର ଦାସ ପ୍ରମୁଖ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଛନ୍ତି। ସୂଚନାଯୋଗ୍ୟ, ୫ ବର୍ଷ ତଳେ ଭୋଗରାଇ ବ୍ଳକ ଦାରୁଆସ୍ଥିତ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ କମର୍ଦ୍ଦା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ପଛରେ ପଶ୍ଚିମବଙ୍ଗ ଅପରାଧୀଙ୍କ ହାତ ଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ କାହାକୁ ଜଣକୁ ବି ଗିରଫ କରିପାରିନାହିଁ।

The post ଭୋଗରାଇ ୟୁକୋ ବ୍ୟାଙ୍କ ଚଉକି ଶାଖାରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୨୦ ଲକ୍ଷ first appeared on Sambad.



from ଜିଲ୍ଲା – Sambad https://ift.tt/2SQA1ga