
ଯାଜପୁର : କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀ ଓ ଶ୍ରମିକଙ୍କ ଦ୍ବାରା ୨ଶହ କୋଟି ଟଙ୍କାର ଉତ୍ପାଦିତ ସାମଗ୍ରୀ ହାତେଇବାକୁ ଏମ୍ଏମ୍ଟିସି (ମେଟାଲ୍ସ ଆଣ୍ଡ ମିନେରାଲ୍ସ ଟେଡ୍ରିଂ କର୍ପୋରେସନ୍) ଷଡ଼୍ଯନ୍ତ୍ର କରୁଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ କର୍ମଚାରୀ ଓ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ସେମାନଙ୍କୁ ଦରମା ମିଳିନାହିଁ। ଅନ୍ୟପଟେ, ୯୬୪ ବେକାର କର୍ମଚାରୀଙ୍କୁ ଛତିଶଗଡ଼ର ଏନଏମଟିସିର ନୂତନ କାରଖାନାରେ ପୁନଃ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯାଉନାହିଁ। ଏଭଳି ସ୍ଥିତିରେ ଯେଉଁ ଉତ୍ପାଦିତ ସାମଗ୍ରୀ ରହିଛି ତାହାକୁ ବିକ୍ରି କରିବା ପାଇଁ ଏମ୍ଏମ୍ଟିସି ମସୁଧା ଚଳାଇଛି। ଯାହାର ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ନୀଳଚଳ ଇସ୍ପାତ କାରଖାନାକୁ କ୍ଷତି ଦର୍ଶାଇ ଏମ୍ଏମ୍ଟିସି ସହଯୋଗର ହାତ ଛାଡ଼ିଦେଇଥିଲା। ଏପରିକି କୋଇଲା ଯୋଗାଣ ବି ବନ୍ଦ କରିଦେଇଥିଲା। ଫଳରେ ମହାମାରୀ କରୋନା କାଳର ଭୟଙ୍କର ସ୍ଥିତି ଉପଜୁଥିଲା। ଗତ ଫେବ୍ରୁଆରି ମାସରୁ ୪ ହଜାର କର୍ମଚାରୀ ଦରମା ପାଇବାରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ପରିବାରକୁ ମିଶାଇଲେ ଏଥିଯୋଗୁ ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଥିଲେ। ମାତ୍ର, ଏଥିପ୍ରତି ଦୃଷ୍ଟି ନଦେଇ ଏମ୍ଏମ୍ଟିସି ଶ୍ରମିକଙ୍କର ପରିଶ୍ରମରେ ଉତ୍ପାଦିତ ହୋଇଥିବା ୨ଶହ କୋଟିର କୋକ, କୋକ ବ୍ରିଜ୍, ସ୍ନିଟର ଓ ସ୍କ୍ରାପ୍କୁ ହାତେଇବା ପାଇଁ ମସୁଧା ଚଳାଇଛି। ଏହିସବୁ ସାମଗ୍ରୀ କାରଖାନା ପରିସରରେ ପଡ଼ିରହିଛି। ସେଥିମଧ୍ୟରୁ ବହୁ ସାମଗ୍ରୀ ବି ଚୋରି ହୋଇଗଲାଣି। ମିଳିଥିବା ସୂଚନା ଅନୁସାରେ, ଏହିସବୁ ସାମଗ୍ରୀକୁ କିଣିବା ପାଇଁ ସେଲ୍ କର୍ତ୍ତୃପକ୍ଷ ରାଜି ହୋଇଥିଲାବେଳେ ଏମ୍ଏମ୍ଟିସି ଏଥିରେ ବାଧା ଉପୁଜାଉଛି। ଏକ ଘରୋଇ କମ୍ପାନିକୁ ବିକ୍ରି କରିବା ପାଇଁ ମସୁଧା ଚଳାଇଛି।
କେତେଜଣ ଅଧିକାରୀ ଓ ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ‘ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏମ୍ଏମ୍ଟିସିର ୨ ଜଣ ଅଧିକାରୀ ଭୁବନେଶ୍ବରଠାରେ ଡେରା ପକାଇଛନ୍ତି। ତାଙ୍କ ସହିତ କାରଖାନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସାମିଲ୍ ହୋଇଛନ୍ତି।’ ଗୋଟିଏ ପଟେ କର୍ମଚାରୀମାନେ ଦରମା କିମ୍ବା ଶ୍ରମିକମାନେ ସେମାନଙ୍କ ପାଉଣା ପାଇନାହାନ୍ତି। ଅନ୍ୟପଟେ, କାରଖାନା ବନ୍ଦ ପରେ ୯୬୪ ବେକାର କର୍ମଚାରୀଙ୍କୁ ଛତିଶଗଡ଼ର ଏନଏମଟିସିର ନୂତନ କାରଖାନାରେ ପୁନଃ ନିଯୁକ୍ତି କରାଇ ଦେଉନାହାନ୍ତି। ଏପରିସ୍ଥଳେ, କିଭଳି ଏମ୍ଏମ୍ଟିସି ୨୦୦ କୋଟି ଟଙ୍କାର ଉତ୍ପାଦିତ ସାମଗ୍ରୀକୁ ହାତେଇବା ପାଇଁ ଉଦ୍ୟମ ଚଳାଇଛି, ତାହାକୁ ନେଇ ଶ୍ରମିକ ସଙ୍ଗଠନ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
The post ୨୦୦ କୋଟି ହାତେଇବାକୁ ଏମ୍ଏମ୍ଟିସିର ଷଡ଼୍ଯନ୍ତ୍ର first appeared on Sambad.
from ଜିଲ୍ଲା – Sambad https://ift.tt/3jboWkw
0 Comments