
ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଜଗମୋହନପୁର ଗ୍ରାମ ମଙ୍ଗଳପୁର ନାଳର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ଛାତ୍ର ଜଣକ ହେଲେ, ଡେରାସାହିର ପ୍ରଭାକର ମହାରଣାଙ୍କ ପୁଅ କାହ୍ନା(୧୫)। ଖବର ଲେଖାଯିବା ସୁଦ୍ଧା, ତାଙ୍କୁ ଠାବ କରାଯାଇ ପାରିନି। ଦମକଳ ବାହିନୀ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏଯାଏ କାହ୍ନାର ସନ୍ଧାନ ମିଳିନାହିଁ। ପାଣିର ପ୍ରଖର ସ୍ରୋତ ସାଂଗକୁ ଘଞ୍ଚ ବାଉଁଶ ଲଟି ଥିବାରୁ ଏଥିରେ ବାଧା ଉପୁଜିଛି।
ଆଜି ସକାଳ ପ୍ରାୟ ୮ଟରେ କାହ୍ନା ତାଙ୍କ ଓ ସାଙ୍ଗ ବଳରାମ ଡାକୁଆ ମିଶି ଗାଁ ପଛପଟେ ଥିବା ମଙ୍ଗଳପୁର ନାଳକୁ ଗାଧୋଇବା ଲାଗି ଯାଇଥିଲେ। ହେଲେ ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ନାଳରେ ପାଣି ଅଧିକ ହୋଇଯାଇଥିଲା। ଅସାବଧାନତାବଶତଃ କାହ୍ନାଙ୍କ ଗୋଡ଼ ଖସିଯିବାରୁ ସେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ବଳରାମ ବ୍ୟସ୍ତ ବିବ୍ରତ ହୋଇ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଗ୍ରାମର କିଛି ଯୁବକ ନାଳରେ ପଶି ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ବିଫଳ ହେବା ପରେ ଧରାକୋଟ ଦମକଳବାହିନୀ ସହ ଯୋଗାଯୋଗ କରାଯାଇଥିଲା। ୫ ଘଣ୍ଟା ଧରି ଦମକଳବାହିନୀ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ ବି କାହ୍ନାଙ୍କୁ ଠାବ କରାଯାଇପାରି ନଥିଲା। ଫଳରେ ପରିବାରବର୍ଗ ଭୀଷଣ ଚିନ୍ତାରେ ଥିବାବେଳେ କାନ୍ଦବୋବାଳିରେ ଘର ଫାଟି ପଡ଼ୁଛି।
The post ଧରାକୋଟ : ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର first appeared on Sambad.
from ଜିଲ୍ଲା – Sambad https://ift.tt/3lZI1It
0 Comments