କଟକ : କୌଣସି ପ୍ରକାର ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ଜାମିନ ଅବଧି ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ସ୍ଥିତିରେ ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗତ ମେ’ ୫ ତାରିଖରେ ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଜନସାଧରଣଙ୍କ ବୃହତ୍ତର ଜରୁରୀ ସ୍ବାର୍ଥ ଦୃଷ୍ଟିରୁ ଯଦି ଉଚ୍ଛେଦ ବା ନିର୍ମାଣ ଭଙ୍ଗାଯିବା କାର୍ଯ୍ୟ ସରକାରଙ୍କ ପାଇଁ ଆବଶ୍ୟକ ଥାଏ ତେବେ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥି ସହିତ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କୌଣସି ବ୍ୟକ୍ତି ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ପଦକ୍ଷେପ ଗ୍ରହଣ କରି ପାରିବେ ନାହିଁ ବୋଲି କୁହାଯାଇଛି।

ପୂର୍ବରୁ ମଧ୍ୟ ହାଇକୋର୍ଟ ଅଗଷ୍ଟ ୩୧ରେ ମାମଲାର ଶୁଣାଣି କରି ମେ’ ୫ର ନିର୍ଦ୍ଦେଶ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ଶେଷ ହୋଇଥିବା ବେଳେ ଆଜି ହାଇକୋର୍ଟ ମାମଲାର ଶୁଣାଣି କରି କରୋନା ସଂକ୍ରମଣଜନିତ ସାନି ସ୍ଥିତିକୁ ବିଚାରକୁ ନେଇ ମେ୫ର ନିର୍ଦ୍ଦେଶ ନଭେମ୍ବର ୨୫ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୫କୁ ଧାର୍ଯ୍ୟ କରାଯାଇଛି।

ପ୍ରକାଶିତ ରାୟରେ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ, ହାଇକୋର୍ଟଙ୍କ ଅଧୀନରେ ଥିବା ରାଜ୍ୟର ସମସ୍ତ ସବ-ଅର୍ଡିନେଟ୍ କୋର୍ଟ, ପରିବାର ଅଦାଲତ, ‌ଶ୍ରମ ଅଦାଲତ, ଟ୍ରିବ୍ୟୁନାଲ, ଜୁଡିସିଆଲ ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଯଦି ଲକ୍‌ଡାଉନ୍‌ ଆରମ୍ଭ ସମୟରେ ବଳବତ୍ତର ଥିବ ତେବେ ଏହାର ଅବଧି ବୃଦ୍ଧି ପାଇବ। ଯଦି ରାଜ୍ୟର କୌଣସି ଅଦାଲତର ଅନ୍ତରୀଣ ନିର୍ଦ୍ଦେଶର ସମୟସୀମା ନଥିବ ଏବଂ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆଦେଶ ରହିଥିବ ତେବେ ନିର୍ଦ୍ଦିଷ୍ଟ ମାମଲାରେ ଏହା ସଂଶୋଧିତ ବା ଉଠାଇଦେବା ପାଇଁ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ ଉଚ୍ଛେଦ, ସ୍ଥାନାନ୍ତରଣ ଓ ଭାଙ୍ଗିବା ସଂକ୍ରାନ୍ତରେ ହାଇକୋର୍ଟ ସହିତ ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ, ଜୁଡିସିଆଲ କିମ୍ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ନିର୍ଦ୍ଦେଶ ଏହି ଅବଧି ପର୍ଯ୍ୟନ୍ତ ସ୍ଥଗିତ ରହିବ। ରାଜ୍ୟ ସରକାର, ସରକାରଙ୍କ କୌଣସି ବିଭାଗ, ପୌର ନିଗମ, ପରିଷଦ, ବୋର୍ଡ, ଗ୍ରାମ ପଞ୍ଚାୟତ ଅଥବା ଅନ୍ୟ ଏଜେନ୍ସି କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନର ଦଖଲରେ ଥିବା ଜମି ବା ସଂପତ୍ତିରୁ ଏହି ସମୟରେ ଉଚ୍ଛେଦ ଓ ନିର୍ମାଣ ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ।

ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଓ ସେସନ୍ସ କୋର୍ଟ ପୂର୍ବରୁ ପ୍ରଦାନ କରିଥିବା ସମସ୍ତ ଅନ୍ତରୀଣ ସୁରକ୍ଷାର ଅବଧି ମଧ୍ୟ ବୃଦ୍ଧି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଯଦି କୌଣସି ପକ୍ଷ ଅନ୍ତରୀଣ ସୁରକ୍ଷା ପାଇଥିବା ଅଭିଯୁକ୍ତର ଆଚରଣ ଦ୍ବାରା ଅସନ୍ତୁଷ୍ଟ ହୁଅନ୍ତି ତେବେ ମାମଲା ବିଚାରାଧୀନ ଥିବା ଅଦାଲତରେ ସେ ଅନ୍ତରୀଣ ସୁରକ୍ଷା ରଦ୍ଦ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ୭ ବର୍ଷ ଦଣ୍ଡାଦେଶ ଥିବା ମାମଲାରେ ଅଭିଯୁକ୍ତର ଗିରଫଦାରୀ ଉପରେ ମଧ୍ୟ ଅଙ୍କୁଶ ଜାରି କରାଯାଇଥିଲା।

The post ନଭେମ୍ବର ୨୫ ଯାଏ ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ଅଙ୍କୁଶ, ମେ ୫ର ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି କଲେ ହାଇକୋର୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/3dAewtG