ଯାଜପୁର : ବନ୍ଦ ପଡ଼ିଥିବା ନୀଳାଚଳ କାରଖାନାର ଚାରି ହଜାର କର୍ମଚାରୀଙ୍କ ପେଟକୁ ନାତ ମାରିଛନ୍ତି କମ୍ପାନି କର୍ତ୍ତୃପକ୍ଷ। ଫଳରେ ପ୍ରତିକ୍ରିୟାଶୀଳ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଆଜି ଭୋକିଲା କର୍ମଚାରୀମାନେ ନୀଳାଚଳ କାରଖାନାର ଇଡି ଆର୍‌କେ ଝାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରାଉ କରିଥିଲେ। ଅନ୍ୟପଟେ ୨ଶହ କୋଟି ଟଙ୍କା ହାତେଇ ନେବାକୁ ଏମ୍‌ଏମ୍‌ଟିସି ମସୁଧା ଚଳାଇଥିବାବେଳେ ସେଲ୍‌କୁ ଗଚ୍ଛିତ ସାମଗ୍ରୀ ବିକ୍ରି ଉଦ୍ୟମ ଭଣ୍ଡୁର ହୋଇଛି। ଏଭଳି ସମୟରେ ଛତିଶଗଡ଼ସ୍ଥିତ ନାଗରନାର ଷ୍ଟିଲ କାରଖାନାରେ ୭ ଶହ କର୍ମଚାରୀଙ୍କ ପୁନଃନିଯୁକ୍ତିରେ ଅଧିକାରୀ ଶ୍ରୀ ଝା ବାଡ଼ ପକାଉଛନ୍ତି ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି।

ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଥିବା ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ତାଲା ଝୁଲିଛି। ୮ମାସ ହେଲା ୪ହଜାର କର୍ମଚାରୀ ଦରମା ନ ପାଇ ଭୋକଉପାସରେ ଦିନ କାଟୁଛନ୍ତି। ଇତିମଧ୍ୟରେ ୫ ଜଣଙ୍କର ଅକାଳ ମୃତ୍ୟୁ ଘଟିସାରିଲାଣି। ଜଣେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହେଉଛି। ଏହା ସତ୍ତ୍ବେ କାରଖାନାରେ ଗଚ୍ଛିତ ଥିବା ୨ଶହ କୋଟିର ସମଗ୍ରୀ ବିକ୍ରି ପାଇଁ ଯୋଜନାକୁ କୁଚକ୍ରୀ ଗୋଷ୍ଠୀ ପଣ୍ଡ କରିଦେଇଛନ୍ତି। ଏମ୍‌ଏମ୍‌ଟିସିର କେତେକ ଅସାଧୁ ଅଧିକାରୀ ଚକ୍ରାନ୍ତ କରି ଜଣେ ଅଣଓଡ଼ିଆ ଅଧିକାରୀଙ୍କ ଦ୍ବାରା ଏଭଳି ଭଣ୍ଡୁର କରିଛନ୍ତି ବୋଲି ଅଭିଯୋଗ କରୁଛନ୍ତି। ଫଳରେ ହଜାର ହଜାର କର୍ମଚାରୀ ଦରମା ପାଇବା ନେଇ ହୋଇଥିବା ପ୍ରସ୍ତୁତି ଅଟକି ଯାଇଛି। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ‌ଉତ୍ତେଜନା ଦେଖା ଦେଇଛି।

କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି। ଅଥଚ ଉତ୍ପାଦନକ୍ଷମ ନୀଳାଚନା ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର କରିନେଇଥିବା ଏମ୍‌ଏମ୍‌ଟିସିର କେତେକ ଅଧିକାରୀଙ୍କର ଶୋଷଣ ଓ ଅସ‌ହଯୋଗ ଯୋଗୁଁ କାରଖାନାରେ ତାଲା ପଡ଼ିଲା। ଗତ ଫେବ୍ରୁଆରି ମାସରୁ ପ୍ରାୟ ୪ହଜାର ନିୟମିତ ଓ ଠିକା କର୍ମଚାରୀ ଦରମା ପାଇବାରୁ ବଞ୍ଚିତ। ଯାହାକୁ ନେଇ ଏହି କରୋନା ସମୟରେ ହଜାର ହଜାର କର୍ମଚାରୀ ନାହିଁ ନଥିବା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏ ପରିସ୍ଥିତିରେ କାରଖାନା ପରିସରରେ ପ୍ରାୟ ୨ଶହ କୋଟି ଟଙ୍କାର କୋକ୍, ସ୍ନିଟର, କୋକ୍ ବ୍ରିଜ୍, ସ୍କାର୍ପ ପ୍ରଭୃତି ପଡ଼ିରହିଛି। ଏହାକୁ ବିକ୍ରି କରିବା ପାଇଁ ବୋକାରୋ ଷ୍ଟିଲ ପ୍ଲାଣ୍ଟ୍ ଓ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ୍ ସହିତ ସରକାରୀ ସ୍ତରରେ ସମସ୍ତ କଥାବାର୍ତ୍ତା ହୋଇଥିଲା। ଏପରିକି ଗତ ମାସ ୧୬ତାରିଖରେ ସେଲ୍‌ର ଅଧିକାରୀ ଆସି କାରଖାନା ପରିସରରେ ଥିବା ଗଚ୍ଛିତ ସାମଗ୍ରୀର ମାନ ଓ ପରିମାଣ ତନଖି କରି କିଣିବା ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ମାତ୍ର ଏମ୍‌ଏମ୍‌ଟିସିର କେତେକ ଅଧିକାରୀ ପୂର୍ବ ଭଳି ଅସାଧୁମେଣ୍ଟ କରି ସରକାରୀ ସାମଗ୍ରୀ ସରକାରୀ କାରଖାନାକୁ ବିକ୍ରି ନ କରିବା ପାଇଁ ଚକ୍ରାନ୍ତ କରି ଭଣ୍ଡୁର କରିବାରେ ସଫଳ ହୋଇଛନ୍ତି। କମ୍ ଦାମରେ ପ୍ରାଇଭେଟ୍ ସଂସ୍ଥାକୁ ବିକ୍ରି କରି କୋଟିକୋଟି ଟଙ୍କା କମିଶନ ହାତେଇବାକୁ ଲାଗି ପଡ଼ିଛନ୍ତି। ଏହି କାରବାରରେ ଜଣେ ଅଣଓଡ଼ିଆ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଏହି ସାମଗ୍ରୀ ୨ଶହ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା, କର୍ମଚାରୀମାନେ ୮ମାସର ଦରମା ପାଇବା ସହିତ ସେମାନଙ୍କର ପିଏଫ୍‌ ମଧ୍ୟ ଜମା ହୋଇପାରିଥାନ୍ତା। ଏହି ଘଟଣାରେ ସରକାର ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଭୋକିଲା କର୍ମଚାରୀମାନେ ନିବେଦନ କରିଛନ୍ତି।

The post ଚାରି ହଜାର କର୍ମଚାରୀଙ୍କ ପେଟକୁ ନାତ : ନୀଳାଚଳ ଇଡିଙ୍କୁ ଘେରିଲେ ଭୋକିଲା କର୍ମଚାରୀ first appeared on Sambad.



from ଜିଲ୍ଲା – Sambad https://ift.tt/31gSXcO