ପୁରୀ : ପୂର୍ବରୁ ଆଇସ୍‌କ୍ରିମ କାଠିରେ କୁନି ରଥ ତିଆରି କରି ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଥିବା ପୁରୀ ସିଦ୍ଧ ମହାବୀର କୁମୁଟିପାଟଣାର ବିଶ୍ବଜିତ ନାୟକ ପୁଣିଥରେ ଆଇସ୍‌କ୍ରିମ କାଠିରେ କୁନି ଗଣେଶ ତିଆରି କରି ‘ଏସିଆ ବୁକ୍‌ ଅଫ୍‌ ରେକର୍ଡ଼’ରେ ସ୍ଥାନ ପାଇଛନ୍ତି। ଏହାପରେ ସେ ଗିନିସ୍‌ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ମନ ବଳାଇଛନ୍ତି।

୧୮ ବର୍ଷୀୟ ବିଶ୍ବଜିତ ଆରୢାନ୍‌‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିରେ ଇଲେକ୍ଟ୍ରିକାଲ୍‌ ଇଂଜିନିୟରିଂରେ ଡିପ୍ଲୋମା କରୁଛନ୍ତି। ଗଣେଶ ପୂଜା ସମୟରେ ପରିବେଶ ଅନୁକୂଳ ପୂଜା ପାଳନର ବାର୍ତ୍ତା ଦେବାକୁ ଯାଇ ବିଶ୍ବଜିତ ୫ ହଜାର ୫୭୫ଟି ଆଇସ୍‌କ୍ରିମ କାଠିରେ ତିଆରି କରିଥିଲେ ନୃତ୍ୟରତ ଗଣେଶ ମୂର୍ତ୍ତି। ଯାହାର ଉଚ୍ଚତା ୫୫ ଇଞ୍ଚ ଓ ଓସାର ୩୩ ଇଞ୍ଚ ରହିଥିଲା। ଏଥିପାଇଁ ସେ ଆଇସ୍‌କ୍ରିମ କାଠି ସହ କିଛି ଅଠା ବ୍ୟବହାର କରିଥିଲେ।

ଏସିଆ ବୁକ୍‌ ଅଫ୍ ରେକର୍ଡ଼ ପାଇଁ ବିଶ୍ବଜିତଙ୍କୁ ମାନପତ୍ର ସହ ପଦକ ପ୍ରଦାନ କରାଯାଇଛି। ପ୍ରଥମ ଉଦ୍ୟମରେ ଏହି ସଫଳତା ପାଇଥିବା ବିଶ୍ବଜିତ ପୁଣିଥରେ ଦୁର୍ଗାପୂଜାକୁ ଆଖି ଆଗରେ ଆଇସ୍‌କ୍ରିମ କାଠିରେ ଆକର୍ଷଣୀୟ ଦୁର୍ଗାମୂର୍ତ୍ତି ତିଆରି କରିଛନ୍ତି। ଯେଉଁଥିରେ ସେ ୩୭୫ଟି ଆଇସ୍‌କ୍ରିମ କାଠି ବ୍ୟବହାର କରିଛନ୍ତି।

୭, ୮୮୧ଟି ଦିଆସିଲି କାଠିରେ ଶ୍ରୀଜଗନ୍ନାଥ
ପୁରୀ : ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଆଶାରେ ପୁରୀ କୁମ୍ଭାରପଡ଼ା ମେନ୍‌ରୋଡ୍‌ର ଶାଶ୍ବତ ରଂଜନ ସାହୁ। ଏଥିପାଇଁ ସେ ଦିଆସିଲି କାଠିରେ ତିଆରି କରିଛନ୍ତି ଆକର୍ଷଣୀୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି।

୧୯ ବର୍ଷୀୟ ଶାଶ୍ବତ ବର୍ତ୍ତମାନ ବ୍ରହ୍ମଗିରି କାଣ୍ଡଗୋଦା ଭକ୍ତ ମଣେଇଁ ସ୍ମୃତି ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର। ପାଠପଢ଼ା ସହ ସମାଜସେବା ଓ କଳା ପ୍ରତି ରୁଚି ରଖିଥିବା ଶାଶ୍ବତ ନିଜ କଳାର ପରାକାଷ୍ଠା ଦେଖାଇବାକୁ ଯାଇ ୭ ହଜାର ୮୮୧ଟି ଦିଆସିଲି କାଠିରେ ତିଆରି କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ୧୭ ଇଞ୍ଚ ଓ ଓସାର ୧୫ ଇଞ୍ଚ ରହିଛି। ୨୧ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେ ଏହି କାମକୁ ପୂର୍ଣ୍ଣ ‌ରୂପ ଦେଇଛନ୍ତି। ଏଥିପାଇଁ ଶାଶ୍ବତ ଦିଆସିଲି କାଠି ସହ କିଛି ଅଠା ବ୍ୟବହାର କରିଛନ୍ତି। ସେ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି।

The post ‘ବୁକ୍‌ ଅଫ୍‌ ରେକର୍ଡ’ରେ ଓଡ଼ିଆ ଶିଳ୍ପୀଙ୍କ କୃତିତ୍ୱ first appeared on Sambad.



from ଜିଲ୍ଲା – Sambad https://ift.tt/3mmeoRB