ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକଠାରେ ଥିବା ଏକ ଚା’ ଦୋକାନରେ କେହି ଦୁର୍ଵୁତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବାର ଅନୁମାନ କରାଯାଉଛି । ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକଠାରେ ଅନେକ ଗୁଡ଼ିଏ ଚା’ ଓ ପାନ ଦୋକାନ ରହିଛି। କିନ୍ତୁ ସେହି ଅଞ୍ଚଳରେ ଚା’ ଦୋକାନ କରିଥିବା ପିତାମ୍ବର ଥନାପତିଙ୍କ ଏହି ଦୋକାନକୁ କେହିଜଣେ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।

ପିତାମ୍ବର ଅଭିଯୋଗ କରିଛନ୍ତି ଯେ ତାଙ୍କ ଦୋକାନକୁ ମରାମତି କରି ସେ ଦୋକାନ ଚଳାଇଥିଲେ । ଏହାପରେ ଗୁରୁବାର ମଧ୍ୟ ରାତିରେ କେହି ଅଜଣା ଦୁର୍ବୃତ୍ତ ପେଟ୍ରୋଲ ଢ଼ାଳି ଦୋକାନରେ ନିଆଁ ଲଗାଇ ଦେଇଥିଲା । ଯାହାଫଳରେ ଦୋକାନ ଭିତରେ ଥିବା ଗ୍ୟାସ୍ ସିଲିଣ୍ଡର୍ ଫାଟିଯିବାରୁ ଭୟଙ୍କର ବିସ୍ପୋରଣ ହୋଇଥିଲା।

ଖବର ପାଇ ବୀରମହାରାଜପୁର ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଦୋକାନ ଭିତରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହା ଫଳରେ ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ପିତାମ୍ବର କହିଛନ୍ତି ପ୍ରାୟ ରାତି ଆଠଟା ପରେ ଦୋକାନ ବନ୍ଦ ରହିଥିଲା । ଗ୍ୟାସ ସିଲିଣ୍ଡରରୁ ରେଗୁଲେଟର ଅଲଗା ରଖା ଯାଇଥିଲା । ତାଙ୍କ ଦୋକାନରେ ବିଦ୍ୟୁତ୍‌ ଲାଗିନାହି । ନିଆଁ ଲାଗିଲା କେମିତି?

ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାର ବିପରୀତ ଦିଗରେ ଥିବା ଏକ ଗଛରେ ପତ୍ର ପୋଡ଼ି ଯାଇଛି । ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଫାଳ ହୋଇଯାଇଛି । ଏହା ପୁଣି ବୀରମହାରାଜପୁର ଆଦର୍ଶ ଥାନାରୁ ମାତ୍ର ୧୦୦ ମିଟର ହେବ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଏଭଳି କାଣ୍ଡ କେମିତି ଘଟିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପିତାମ୍ବର ଜଣେ ଗରିବ ହୋଇଥିବାରୁ ତାକୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।

The post ବୀରମହାରାଜପୁର: ଚା’ ଦୋକାନରେ ଅଗ୍ନିକାଣ୍ଡ, ଆର୍ଥିକ ସହାୟତା ପାଇଁ ଦାବି first appeared on Sambad.



from ଜିଲ୍ଲା – Sambad https://ift.tt/35KTSUd