ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗତ ୧୭ତାରିଖରେ ଭାଇ-ଭଉଣୀଙ୍କୁ ଦାଦାବଟି ଦାବି କରି କିଛି ଦୁର୍ବୃତ୍ତ ଖଣ୍ଡା ଚୋଟ ପକାଇଥିଲେ। ଏହି ଘଟଣାରେ ପୁଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡ଼ି ନାହାନ୍ତି। ଏହି ଘଟଣାରେ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଆହତ ହୋଇଥିଲେ। ଘଟଣା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କିଛି ସନ୍ଦିଗ୍ଧଙ୍କୁ ପୁଲିସ ଉଠାଇ ଜେରା କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତମାନେ ଅଣ୍ଡର୍‌ଗ୍ରାଉଣ୍ଡ୍‌ ହୋଇଯାଇଥିବାରୁ ପୁଲିସ ସେମାନଙ୍କୁ ଖୋଜି ପାଉ ନାହିଁ।

ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ମିକ୍ସଚର୍‌ ବ୍ୟବସାୟୀ ଜି. କାଳିଆ ପାତ୍ରଙ୍କୁ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ। କାଳିଆ ବଟି ଦେବାକୁ ମନା କରିବାରୁ ୪/୫ଜଣ ଦୁର୍ବୃତ୍ତ ଗତ ୧୭ତାରିଖ ସକାଳେ କାଳିଆଙ୍କ ଘରେ ପହଞ୍ଚି ହଙ୍ଗାମା କରିଥିଲେ। ଏପରିକି କାଳିଆଙ୍କ ଉପରେ ଖଣ୍ଡା ଚୋଟ ପକାଇଥିଲେ। ଭଉଣୀ ଏସ୍‌. ସୁନିତା ଭାଇକୁ ବଞ୍ଚାଇବାକୁ ଯାଇ ନିଜେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ। ତାଙ୍କର ହାତ ଓ ଗୋଡ଼ରେ ଖଣ୍ଡା ଚୋଟ ପଡ଼ିଥିଲା। ଘଟଣା ପରେ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ। ପୁଲିସ ସେହି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ସାରିଛି। ସେମାନଙ୍କୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ରହିଛି। କିନ୍ତୁ ଅଦ୍ୟାବଧି ଦୁର୍ବୃତ୍ତମାନେ ଧରା ପଡ଼ି ନାହାନ୍ତି।

The post ବଟି ମାଗି ଭାଇ-ଭଉଣୀଙ୍କୁ ଖଣ୍ଡା ଚୋଟ ଘଟଣା : ସପ୍ତାହେ ପରେ ବି ଧରାପଡ଼ି ନାହାନ୍ତି ଅପରାଧୀ first appeared on Sambad.



from ଜିଲ୍ଲା – Sambad https://ift.tt/2HAECAT