
ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ଼ ମଦମୃତ୍ୟୁ ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପଥରଗଡ଼ ଗାଁର ବସନ୍ତ ଦେହୁରୀ ଓ ସୁଶାନ୍ତ ଦେହୁରୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ପୁଲିସ ଆଜି ସେମାନଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। କୋର୍ଟରୁ ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠେଇ ଦେଇଛି। ଏଥିସହିତ ମଦମୃତ୍ୟୁ ମାମଲାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଗତ ୨୫ ତାରିଖ ଦିନ ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ଘର ତିଆରି କାମରେ ନିୟୋଜିତ ଶ୍ରମିକମାନଙ୍କୁ ଠିକାଦାର କାଳିଆ ଦେହୁରୀ ମଦ ପିଇବାକୁ ଦେଇଥିଲା। ଏହି ବିଷାକ୍ତ ମଦ ପିଇବା ପରେ ବହୁ ଶ୍ରମିକ ଅସୁସ୍ଥ ହୋଇଯାଇଥିଲେ। ସେଦିନ ରାତିରେ ୨ ଅନିଲ ପଧାନ(କଇରା)ଓ ଟୁକୁନା ପଧାନଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଶିକାନ୍ତ ଦେହୁରୀ ଓ ପ୍ରମୋଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଠିକା କାମ ସହିତ ମଦ ବେପାର କରୁଥିବା କାଳିଆ ଦେହୁରୀ ଏବଂ ତାକୁ ସ୍ପିରିଟ ଯୋଗାଉଥିବା ବଡ଼ହିଂସର ଗାଁର ଟୁକୁନା ଦେହୁରୀ, ମହୁଲ ଯୋଗାଉଥିବା ଝିଣ୍ଟିପାଳ ଗାଁର ରଂଜିତ ସାହୁ ଓ ମଦ ବିକ୍ରି କରୁଥିବା ଗୋବରା ଗାଁର ଶ୍ରୀକାନ୍ତ ସାହୁଙ୍କୁ ପୁରୁଣକୋଟ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିବା ପରେ ଆଜି କାଳିଆର ଅନ୍ୟ ୨ ଜଣ ସହଯୋଗୀ ବସନ୍ତ ଦେହୁରୀ ଓ ସୁଶାନ୍ତ ଦେହୁରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
The post ପଥରଗଡ଼ ମଦ ମୃତ୍ୟୁ ମାମଲା : ଗିରଫ ସଂଖ୍ୟା ୭କୁ ବୃଦ୍ଧି first appeared on Sambad.
from ଜିଲ୍ଲା – Sambad https://ift.tt/3eaqQ44
0 Comments