
ବୁଗୁଡ଼ା : ପ୍ରେମିକ ସହ ମିଶି ପତିକୁ ହତ୍ୟା କଲା ପତ୍ନୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ହରିଜନସାହିରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ଢେଙ୍କାନାଳର ସିଲୁ ମେହେର (୩୨)। ପୁଲିସ ମୃତକଙ୍କ ପତ୍ନୀ ମାହେଶ୍ବରୀ ଓ ପ୍ରେମିକ ଢେଙ୍କାନାଳର ଦୀପକ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନାନୁସାରେ, ବୁଗୁଡ଼ା ବାଲିପିଣ୍ଡି ବନ୍ଧ ହରିଜନ ସାହିର ମାହେଶ୍ବରୀ ମେହେର ୧୦ ବର୍ଷ ତଳେ ସିଲୁଙ୍କୁ ବିବାହ କରିଥିଲେ। ତିନି ସନ୍ତାନଙ୍କୁ ନେଇ ସେମାନଙ୍କ ପରିବାର ବେଶ୍ ହସଖୁସିରେ ଚାଲିଥିଲା। ତେବେ ୬ ମାସ ତଳେ ସିଲୁ ଏକ ସୁନା ଚୋରି ଘଟଣାରେ ଛନ୍ଦି ହୋଇ ଫେରାର୍ ହୋଇ ଯାଇଥିଲେ। ଏହାମଧ୍ୟରେ ମାହେଶ୍ବରୀ ଓ ଦୀପକଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଏବଂ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ। ୩ ଦିନ ତଳେ ମାହେଶ୍ବରୀଙ୍କୁ ଭେଟିବା ଲାଗି ଦୀପକ ବୁଗୁଡ଼ା ଆସିଥିଲା। ଉଭୟ ମନ୍ଦିରରେ ବିବାହ ଯୋଜନା କରିଥିଲେ। ଏହା ଜାଣିବା ପରେ ସିଲୁ ସାଇକେଲରେ ଢେଙ୍କାନାଳରୁ ଆସି ଗତକାଲି ରାତିରେ ବୁଗୁଡ଼ାରେ ପହଞ୍ଚିଥିଲେ। ମାଳିଝୋଳା ମନ୍ଦିର ନିକଟ ଏକ ଘରେ ଦୀପକ ଓ ମାହେଶ୍ବରୀ ଲୁଚିଥିବା ଜାଣି ସେଠାରେ ପହଞ୍ଚି ସିଲୁ ପ୍ରବଳ ପାଟିତୁଣ୍ଡ କରିବା ସହ ବିବାହକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚିଥିଲା। ଆଉ ମାହେଶ୍ବରୀ ଓ ଦୀପକ ମିଶି ସିଲୁଙ୍କ ବେକକୁ ଏକ ଗାମୁଛାରେ ଚିପି ହତ୍ୟା କରିଥିଲେ। ତେବେ ସେମାନେ ସିଲୁର ଶବକୁ ଫୋପାଡ଼ି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଉଭୟଙ୍କୁ କାବୁ କରି ନେଇଥିଲା। ମୃତକ ସିଲୁଙ୍କ ଭାଇ ଦିଲ୍ଲୀପଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ଥାନାରେ କେସ୍ ନମ୍ବର ୩୧୮ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମାହେଶ୍ବରୀ ଓ ଦୀପକ ଥାନାରେ ଅଟକ ଥିବା ଜଣାପଡ଼ିଛି।
The post ପ୍ରେମିକ ସହ ମିଶି ପତିକୁ ହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/380ehY6
0 Comments