
ବ୍ରହ୍ମପୁର : ଶ୍ରୀ ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍ସ ଲିମିଟେଡ୍ ଚିଟ୍ଫଣ୍ଡ କମ୍ପାନି ବିରୋଧରେ ଚାଲିଥିବା ଏକ ଟଙ୍କା ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଚିଟ୍ଫଣ୍ଡ(ଓପିଆଇଡି) କୋର୍ଟ ଜଜ୍ ଦେବାଶିଷ ପଣ୍ଡା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ କମ୍ପାନିର ଏମ୍ଡି ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ ଏବଂ ବ୍ରହ୍ମପୁର ଶାଖା ମ୍ୟାନେଜର ସୁରେଶ ଚନ୍ଦ୍ର ପାଢ଼ୀଙ୍କୁ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ଚୂଡ଼ାନ୍ତ ରାୟ ଦେଇଥିବା ସ୍ବତନ୍ତ୍ର ପିପି ବିଜୟ ପ୍ରଧାନ ସୂଚନା ଦେଇଛନ୍ତି।
ଗତ ୨୦୦୮-୦୯ରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜନାନା ହସ୍ପିଟାଲ୍ ରୋଡ଼ରେ ମୁମ୍ବାଇ ସ୍ଥିତ ଇଲେକ୍ଟ୍ରୋ କଣ୍ଟ୍ରୋଲ୍ସ ଲିମିଟେଡ୍ ନାମକ ଏକ କମ୍ପାନିର କାର୍ଯ୍ୟାଳୟ ଖୋଲିଥିଲା। କମ୍ପାନିରେ ଟଙ୍କା ଡିପୋଜିଟ୍ କଲେ ଅଧିକ ହାରରେ ସୁଧ ମିଳିବ ବୋଲି ଏମ୍ଡି (ପରିଚାଳନା ନିର୍ଦ୍ଦେଶକ) ଗୋଲେ ଜମାକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପାନିର ଶାଖା କାର୍ଯ୍ୟାଳୟ ଖୋଲା ଯାଇଥିଲା। ସୁରେଶ ବ୍ରହ୍ମପୁର ଶାଖାରେ ମ୍ୟାନେଜର ଭାବେ କାମ କରୁଥିଲେ। ଶତାଧିକ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ହଠାତ୍ ଏହି କମ୍ପାନି ବନ୍ଦ ହୋଇ ଯାଇଥିଲା। ଜମାକାରୀ ଟଙ୍କା ଫେରି ନପାଇ କମ୍ପାନି କାର୍ଯ୍ୟାଳୟ ଘେରାଉ କରିଥିଲେ। ହେଲେ ସେ ସମୟରେ କୌଣସି ଅଧିକାରୀ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଜମାକାରୀମାନେ ବାଧ୍ୟ ହୋଇ ଘଟଣା ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ଅଜୟ ମିଶ୍ର ଘଟଣାର ତଦନ୍ତ କରି କମ୍ପାନିର ଏମ୍ଡି ଓ ମ୍ୟାନେଜର୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ୧୦ଟି ଠକେଇ ମାମଲାରେ ଏହି କମ୍ପାନି ନାଁରେ ପୁଲିସ ରିମାଣ୍ଡ ଦେଇଥିଲା। ଗତବର୍ଷ ଏହି କମ୍ପାନିକୁ କୋର୍ଟ ପ୍ରଥମ ମାମଲାରେ ଦଣ୍ଡିତ କରିଥିଲେ। ଆଜି ଦ୍ବିତୀୟ ମାମଲାରେ ମଧ୍ୟ ଦଣ୍ଡିତ କରିଛନ୍ତି। କମ୍ପାନି ନାଁରେ ଆହୁରି ୮ଟି ମାମଲା ସ୍ବତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ବିଚାରାଧୀନ ରହିଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଶ୍ରୀ ପ୍ରଧାନ ମକଦ୍ଦମା ପରିଚାଳନା କରୁଛନ୍ତି।
The post ଶ୍ରୀରାମକ୍ରିଷ୍ଣା ଚିଟ୍ଫଣ୍ଡ ଠକେଇ : ଏମ୍ଡି ଓ ବିଏମ୍ଙ୍କୁ ୧୦ ବର୍ଷ ଜେଲ୍ first appeared on Sambad.
from ଜିଲ୍ଲା – Sambad https://ift.tt/31hsAmX
0 Comments