ଭୁବନେଶ୍ବର/କଟକ : ଓଡ଼ିଶାର ପୂର୍ବତନ ପୁଲିସ ଡିଜି ତଥା ୧୯୬୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ସୁଜିତ କୁମାର ଚାଟାର୍ଜୀଙ୍କର ପରଲୋକ ହୋଇଯାଇଛି। ଗତକାଲି ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁସାରେ, ଶ୍ରୀ ଚାଟାର୍ଜୀ ୧୯୬୭ ମସିହାରେ ରାୟଗଡ଼ା ଏସଡିପିଓ ଭାବେ ଚାକିରି ଆରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ଼, ବଲାଙ୍ଗିର, ବ୍ରହ୍ମପୁର, ପୁରୀ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ। ଓଡ଼ିଶା ପୁଲିସ ମୁଖ୍ୟାଳୟରେ ଦୀର୍ଘଦିନ ଧରି ଏଆଇଜି ଭାବେ କାମ କରିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ଓ ପରେ ୨୦୦୦ରେ ଓଡ଼ିଶା ଡିଜି ହୋଇଥିଲେ। ପ୍ରାୟ ବର୍ଷେ କାଳ ଡିଜି ରହିବା ପରେ ୨୦୦୧ରେ ଚାକିରିରୁ ଅବସର ନେଇଥିଲେ। ସେ ତ୍ରିପୁରା ଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଶ୍ରୀ ଚାଟାର୍ଜୀ ଅବସର ଗ୍ରହଣ କରିବା ପରେ କଟକ ସିଡିଏ ବାସଭବନରେ ରହୁଥିଲେ। ଏହାପରେ ନୂଆଦିଲ୍ଲୀରେ ରହୁଥିବା ତଥା ଭାରତୀୟ ଡାକସେବାରେ କାର୍ଯ୍ୟରତ ତାଙ୍କ ପୁଅଙ୍କ ପାଖକୁ ଚାଲି ଯାଇଥିଲେ। ଶ୍ରୀ ଚାଟାର୍ଜୀଙ୍କ ଦେହାନ୍ତ ଖବରରେ ପୁଲିସ ଡିଜି ଅଭୟ ଶୋକପ୍ରକାଶ କରିବା ସହ ତାଙ୍କର ସେବା ପାଇଁ ସେ ସବୁବେଳେ ମନେ ରହିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେହିପରି ସେ ଜଣେ ଅମାୟିକ ଓ ନିଷ୍ଠାପର ବ୍ୟକ୍ତି ଥିଲେ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଓ ଶରତ ଚନ୍ଦ୍ର ମିଶ୍ର। ତାଙ୍କର ନେତୃତ୍ବ ନେବାର ଦକ୍ଷତା ମଧ୍ୟ ବେଶ୍ ଭଲ ଥିଲା ବୋଲି କହିଛନ୍ତି ପୂର୍ବତନ ଡିଜି ଗୋପାଳ ନନ୍ଦ। ବହୁ ପୂର୍ବତନ ପୁଲିସ ଅଧିକାରୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।

The post ପୂର୍ବତନ ଡିଜି ଏସ.କେ ଚାଟାର୍ଜୀଙ୍କ ପରଲୋକ first appeared on Sambad.



from ଜିଲ୍ଲା – Sambad https://ift.tt/3pvcLna