କବିସୂର୍ଯ୍ୟନଗର : ବିଭିନ୍ନ ସମୟରେ ଆମେ ଭିନ୍ନ ପଶୁପକ୍ଷୀ ପ୍ରେମୀଙ୍କ ସଂସ୍ପର୍ଶରେ ଆସୁ। କିଏ ଘରେ ଗାଈ, କୁକୁର ତ ଆଉ କିଏ ଶୁଆ, ବଣି, କୁକୁଡ଼ା ଆଦିକୁ ସ୍ନେହର ସହ ପାଳିଥାନ୍ତି। କିନ୍ତୁ ଏମାନଙ୍କ ଭିଡ଼ ଭିତରେ ସଞ୍ଜୁ ନାନୀ ସମସ୍ତଙ୍କଠୁ ନିଆରା। ବିଲେଇ ମାନଙ୍କ ସହ ତାଙ୍କର ଦିନରାତି କଟୁଥିବା ବେଳେ ସେମାନଙ୍କୁ ନିଜ ସନ୍ତାନଙ୍କ ଭଳି ସ୍ନେହ ବି କରୁଛନ୍ତି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ୧୫ ନମ୍ବର ୱାର୍ଡ଼ ନୂଆ ସାହି ବାସିନ୍ଦା ସଞ୍ଜୁକ୍ତା ନାହାକ। ସମସ୍ତଙ୍କ ମହଲରେ ସଞ୍ଜୁ ନାନୀ ଭାବେ ବେଶ୍ ପରିଚିତ। ବୟସ ୬୫ ଓ ସେ ଅବିବାହିତା ଏବଂ ଦିବ୍ୟାଙ୍ଗ। ବାହା ହୋଇ ନଥିବାରୁ ଘରେ ‌ଏକ ଛୋଟ ପାନଦୋକାନ କରି ରୋଜଗାର କରୁଛନ୍ତି। ଆଉ ଦୀର୍ଘ ୨୪ ବର୍ଷ ହେଲା ବିଲେଇ ମାନଙ୍କୁ ହିଁ ସେ ନିଜର ସନ୍ତାନସନ୍ତତି ଭଳି ସ୍ନେହ ଆଦର ଦେଇ ଆସିଛନ୍ତି।

ବର୍ତ୍ତମାନ ତାଙ୍କ ପାଖରେ ୨୦ରୁ ଅଧିକ ଛୋଟବଡ଼ ବିଭିନ୍ନ ବର୍ଣ୍ଣର ବିଲେଇ ଅଛନ୍ତି। ରୋଜଗାରରୁ ଯାହା ମିଳୁଛି ସେତିକିରେ ସେ ବିଲେଇ ମାନଙ୍କୁ ପ୍ରତିଦିନ ଖାଇବାକୁ କ୍ଷୀର, ଭାତ କିମ୍ବା ମାଛ ଦେଉଛନ୍ତି। ଏହାସହ ଗୋଟିଏ ଗାଈ ମଧ୍ୟ ପାଳିଛନ୍ତି। ବିଲେଇ ପାଇଁ ଦୈନିକ ୫୦ ଓ ଗାଈ ପାଇଁ ୫୦ ଟଙ୍କା ଖର୍ଚ୍ଚ କରିଥାନ୍ତି। ସରକାରୀ ସହାୟତା ଭାବେ ଭତ୍ତା ଆକାରରେ ୫୦୦ ଟଙ୍କା ମିଳୁ ଥିବାରୁ ହସଖୁସିରେ ଚଳିଯାଆନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ସେ ବିଲେଇ ମାନଙ୍କ ସେବା କରିବେ ବୋଲି କୁହନ୍ତି।

The post ୨୪ ବର୍ଷ ‌ହେଲା ବିଲେଇ ନାନୀଙ୍କ ମିତ ସଞ୍ଜୁ ନାନୀ first appeared on Sambad.



from ଜିଲ୍ଲା – Sambad https://ift.tt/32mHCsj