ଫଳକ ପୋତାକୁ ନେଇ ଆନ୍ଧ୍ର ମହିଳାଙ୍କ ବିକ୍ଷୋଭ
ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯାତାୟାତ ଠପ୍

ପଟାଙ୍ଗି : ପ୍ରଥମେ ବଳପୂର୍ବକ ଅନୁପ୍ରବେଶ। ଏହାପରେ ଦାଦାଗିରି କରି ପାଚେରି ନିର୍ମାଣ। ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ଓଡ଼ିଶା ପ୍ରଶାସନ ପାଚେରି ଭାଙ୍ଗିଥିଲା। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହେଲା। କିନ୍ତୁ ବିବାଦର ସମାଧାନ ବଦଳରେ ବଢ଼ାଇବାରେ ଲାଗିଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ସୁନାବେଡ଼ା ଗାଁ ସୀମାରେ ଏମିତି ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଜମି ଅକ୍ତିଆର କରିବାକୁ ପୁଣି ଉଦ୍ୟମ କରିଛି ଆନ୍ଧ୍ର।

କିଛି ଦିନ ତଳେ ଓଡ଼ିଶାର ସୀମାରୁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା ଆନ୍ଧ୍ର। ସୀମାନ୍ତ ଗାଁ ସୁନାବେଡ଼ାର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ପାଚେରି କାମ ଆରମ୍ଭ କରିଥିଲା। ଏପରିକି ସୂଚନା ଫଳକ ଲଗାଇ ଏକତରଫା ଭାବେ ନିଜ ଅଞ୍ଚଳର ବୋଲି ଦର୍ଶାଇଥିଲା। ସ୍ଥାନୀୟ ଲୋକ ଆନ୍ଧ୍ରର ଏହି ବେଆଇନ କାମକୁ ବିରୋଧ କରିଥିଲେ। ପଟାଙ୍ଗି ତହସିଲଦାରଙ୍କୁ ଏନେଇ ଅବଗତ କରାଇବାରୁ ପ୍ରଶାସନ ହସ୍ତକ୍ଷେପ କରିଥିଲା। କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁର ନେତୃତ୍ବରେ ଯାଇଥିବା ଗୋଟିଏ ଟିମ୍ ଆନ୍ଧ୍ର ଲଗାଇଥିବା ଫଳକକୁ ଭାଙ୍ଗି ଦେଇଥିଲେ। ଏହାପରେ ଅଧିକ ଉଗ୍ର ହୋଇ ସୁନାବେଡ଼ା ଗ୍ରାମବାସୀଙ୍କୁ ଧମକ ଦେଇ ଫଳକ ପୋତିଥିଲା ଆନ୍ଧ୍ର। କୋଟିଆ ଗ୍ରାମପୁଞ୍ଜ ପରେ ଉପରୋକ୍ତ ସୀମାନ୍ତ ଗାଁ ଉପରେ ନିଜର ପକାଇଛି ଆନ୍ଧ୍ର।

ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିବାରୁ ଆଜି ପଟାଙ୍ଗି ବିଧାୟକ ପୀତମ ପାଢ଼ୀ, ଉପଜିଲ୍ଲାପାଳ ଲଳିତ କୁମାର କଅଁର, ପଟାଙ୍ଗି ବିଡିଓ ମୋନାଲିସା ଦେବତା, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଏସଡିପିଓ ନିରଞ୍ଜନ ବେହେରା, ସମ୍ବାଇ ସରପଞ୍ଚ ପିଲକ ଗୁଣ୍ଠା, ଜିଲ୍ଲା ପରିଷଦ ସଭ୍ୟ ଲୋଇଚନ ଖରା ପ୍ରମୁଖ ବିବାଦୀୟ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ଆନ୍ଧ୍ରର କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳି ନଥିଲା। ଏମିତି ସ୍ଥିତିରେ ଓଡ଼ିଶା ଭିତରେ ପଶି ଯେଉଁ ଫଳକ ଆନ୍ଧ୍ର ଲଗାଇଥିଲା ତାହାକୁ ପୁଣି ଭଙ୍ଗା ଯାଇଥିଲା। ପୂର୍ବରୁ ଚିହ୍ନଟ ହୋଇଥିବା ସୀମାରେ ଉକ୍ତ ଫଳକୁ ପୁଣି ଲଗାଇ ଦିଆଯାଇଥିଲା। ଏହାକୁ ନେଇ ଆନ୍ଧ୍ରର ଡେକାପଦର, ବଡ଼ଲାମ, କୋଳାପୁଟ, ବୁସିଗୁଣ୍ଠା ଗ୍ରାମର କିଛି ମହିଳା ଓ ପୁରୁଷ ପହଞ୍ଚି ଯାଇଥିଲେ। ଉତ୍ତେଜିତ ହୋଇ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରୁ ଫେରି ଯାଇଥିଲେ। ଯାହାର ସୁଯୋଗ ନେଇ ପୁଣି ଆନ୍ଧ୍ରରୁ ଶହ ଶହ ସଂଖ୍ୟାରେ ଲୋକ ସୁନାବେଡ଼ା ଗାଁରେ ପହଞ୍ଚି ଯାଇଥିଲେ। ପ୍ରବଳ ପାଟିତୁଣ୍ଡ କରିବା ସହ ରାସ୍ତାରେ ପଥର ପକାଇ ଅବରୋଧ କରିଥିଲେ। ଯାତାୟାତ ଠପ୍ କରିଦେଇ ଓଡ଼ିଶାର କୌଣସି ଗାଡ଼ିକୁ ଆନ୍ଧ୍ରରେ ପଶିବାକୁ ଦେବୁ ନାହିଁ ବୋଲି ସୁନାବେଡ଼ା ଗ୍ରାମବାସୀଙ୍କୁ ଧମକ ଦେଇଥିଲେ।

ସୂଚନାଯୋଗ୍ୟ, ୨୬ ନମ୍ବର ଜାତୀୟ ରାଜପଥର ପୁକାଲି ଛକ ଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ରହିଛି ଓଡ଼ିଶାର ସୁନାବେଡ଼ା, ସମ୍ବାଇ, କୁସୁମା ଭଳି ବହୁ ଗାଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉପରୋକ୍ତ ଗାଁକୁ ରାସ୍ତା ରହିଥିବା ବେଳେ ଏହି ରାସ୍ତା ଆନ୍ଧ୍ରର ଆରୁକୁ ସହରକୁ ସଂଯୋଗ କରିଛି। ତେଣୁ ଦୈନନ୍ଦିନ କାର୍ଯ୍ୟ ପାଇଁ ସୀମାନ୍ତ ଗାଁର ଲୋକ ଆନ୍ଧ୍ର ଉପରେ ନିର୍ଭର କରିଥାନ୍ତି। ତେବେ ସଦ୍ୟତମ ବିବାଦ ପରେ ସୀମାନ୍ତ ଗାଁର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଏହି ସୀମା ବିବାଦର ସମାଧାନ କରା ନ ଗଲେ ଆନ୍ଧ୍ରରେ ମିଶିବୁ ବୋଲି ସୁନାବେଡ଼ା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

The post ବଢ଼ିଲା ଆନ୍ଧ୍ର-ଓଡ଼ିଶା ସୀମା ବିବାଦ : ଚିହ୍ନଟ ପରେ ପୋତାହେଲା ଫଳକ first appeared on Sambad.



from ଜିଲ୍ଲା – Sambad https://ift.tt/3eFXk6K