
ବରଗଡ଼/କଳାପାଣି/ଅତାବିରା : ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହର ଦ୍ବିତୀୟ ଦିନରେ ମଧ୍ୟ ପ୍ରକ୍ରିୟା ମାନ୍ଦା ରହିଛି। ମଣ୍ଡିକୁ ଧାନ ଅଳ୍ପ ପହଂଚୁଛି ଏବଂ ଅଳ୍ପ ମିଲ୍କୁ ଯାଉଛି। ଦ୍ବିତୀୟ ଦିନରେ ଜିଲ୍ଲାରେ ମୋଟ୍ ୨୯୯୯ କ୍ବିଣ୍ଟାଲ ଧାନ କିଣା ହୋଇଛି। ବରଗଡ଼ ଆର୍ଏମ୍ସି ଅନ୍ତର୍ଗତ ସରସରା, କଳାପାଣି, ଭଟଲି, ଚଢ଼େଇ ଗାଁ ଏବଂ ବେହେରା ମାର୍କେଟ ୟାର୍ଡକୁ ୨୨୭୭ ବସ୍ତା ଧାନ ଆସିଥିଲା। ଯେଉଁଥିରୁ ୯୯୯ ବସ୍ତା କିଣା ଯାଇ ମିଲ୍କୁ ପହଂଚିଛି। କଳାପାଣିରେ ଜଣେ ଚାଷୀ ୧୦୨ ବସ୍ତା ଧାନ ଧରି ପହଂଚିଥିଲେ। ଅତାବିରା ମାର୍କେଟ ୟାର୍ଡକୁ ୭୮୦୨ ବସ୍ତା ଧାନ ଆସିଥିବା ବେଳେ ୪୩୯୨ ବସ୍ତା କିଣାଯାଇଛି।
ପ୍ରଥମ ସପ୍ତାହରେ ଧାନ କିଣା ମନ୍ଥର ରହିବ ବୋଲି କୁହାଯାଉଛି। କିନ୍ତୁ ଟୋକନ୍କୁ ନେଇ ବର୍ତ୍ତମାନ ମଧ୍ୟ ସମସ୍ୟା ଅତୁଟ ରହିଛି। କାରଣ ଅଧିକାଂଶ କ୍ଷେତ୍ରରେ ଟୋକନ୍ ପାଇଥିବା ଚାଷୀଙ୍କ ଧାନ ବିଲରେ ରହିଛି। ଯେଉଁ ଚାଷୀ ଶୀଘ୍ର ଅମଳ କରିଛନ୍ତି ସେମାନଙ୍କୁ ଟୋକନ୍ ମିଳିନାହିଁ। ଫଳରେ ଟୋକନ୍ ପାଇନଥିବା ଚାଷୀମାନେ ଆଶା ନେଇ ମଣ୍ଡିରେ ପହଂଚୁଛନ୍ତି। ଧାନ ମଣ୍ଡିରେ ପଡ଼ୁଛି କିନ୍ତୁ ଉଠୁନାହିଁ। ଅତାବିରା ମାର୍କେଟୟାର୍ଡରେ ଉପଜିଲ୍ଲାପାଳ ପ୍ରଭାସ ଡନ୍ସେନା, ଡିଆର୍ସିଏସ୍ ଭକ୍ତବନ୍ଧୁ ସାହୁ ଓ ଏଆର୍ସିଏମ୍ ଗଜେନ୍ଦ୍ରନାଥ ପଣ୍ଡା, ଏସିଓ ସରୋଜ ମେହେର, ଯୋଗାଣ ଅଧିକାରୀ ବିଶ୍ବରଂଜନ ସାହୁ, ଉପାଧ୍ୟକ୍ଷ ସୁଦାମ ଜାଲ, ସଂପାଦକ ପ୍ରଦୀପ ବେସନ୍, ଚାଷୀ ନେତା ବିରେନ୍ଦ୍ର କର, ସୁରେନ୍ଦ୍ର ସ୍ବାଇଁ, ସୀତାରାମ ସାହୁଙ୍କ ଉପସ୍ଥିତିରେ ୟାର୍ଡ ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଚାଷୀମାନେ ଅଧିକାରୀଙ୍କ ପାଖରେ ଯୁକ୍ତିଯୁକ୍ତ ଦାବି ରଖିଥିଲେ। ବର୍ତ୍ତମାନ ୟାର୍ଡଗୁଡ଼ିକରେ ମାନ୍ଦା ପ୍ରକ୍ରିୟା ଲାଗି ରହିଛି।
ଧାନକିଣାର ପ୍ରଥମ ଦୁଇ ସପ୍ତାହ ଏଭଳି ସ୍ଥିତି ଲାଗି ରହିଥାଏ। ତେଣୁ ଧାନ ନେଇ ୟାର୍ଡକୁ ଆସୁଥିବା ଚାଷୀଙ୍କୁ ତୁରନ୍ତ ଟୋକନ୍ ଦେଇ ଧାନ କିଣିବାକୁ ପ୍ରସ୍ତାବ ଦିଆଯାଇଛି। ନଚେତ ସେମାନଙ୍କୁ ୧୦/୧୫ ଦିନର ଟୋକନ୍ ଅବଧି ବଢ଼ାଇବାକୁ କୁହାଯାଇଛି। ଏଭଳି ହେଲେ ଚୂଡ଼ାନ୍ତ ପର୍ଯାୟରେ ମଣ୍ଡିରେ ବେଶୀ ଧାନ ଗଦା ହେବନାହିଁ କିମ୍ବା ଅବ୍ୟବସ୍ଥା ସୃଷ୍ଟି ହେବ ନାହିଁ। ସୁରୁଖୁରୁରେ ଧାନ କିଣା ହୋଇପାରିବ ବୋଲି ଚାଷୀମାନେ ପ୍ରସ୍ତାବ ଦେଇଛନ୍ତି।
The post ବରଗଡ଼: ଟୋକନ୍ ଥିଲେ ଧାନ ନାହିଁ, ଧାନ ଥିଲେ ଟୋକନ୍ ନାହିଁ first appeared on Sambad.
from ଜିଲ୍ଲା – Sambad https://ift.tt/38v5Ap5
0 Comments