
କଟକ : ଯେତେ ସଫା କଲେ ବି ଦଳମୁକ୍ତ ହୋଇପାରୁନି ଅଂଶୁପା। ମେସିନ୍ ବି ଆଣିଲେ, ହେଲେ ତାବି ଠିକ୍ ଢଙ୍ଗରେ ପରିଚଳାନା କରିପାରିଲେନି। ଫଳରେ ଯେତେ ଦଳ କଢ଼ାଯାଉଛି ତାହା ପୁଣି ଭର୍ତ୍ତି ହୋଇଯାଉଛି। ମହାନଦୀ ଇକୋ ସିଷ୍ଟମ ସହିତ ଜଡିତ ମଧୁର ହ୍ରଦ ଅଂଶୁପା ଏବେ ମରିବାକୁ ବସିଲାଣି। ମହାନଦୀ ଜଳପ୍ରବାହ କମିଯାଉଥିବାରୁ ବର୍ଷ ବର୍ଷ ହେଲା ମହାନଦୀର ବନ୍ୟାପାଣି ଅଂଶୁପାରେ ପଶୁ ନଥିଲା। କିନ୍ତୁ ଗତ ୨ବର୍ଷ ହେଲା ବନ୍ୟାପାଣି ପୁଣି ଅଂଶୁପାରେ ପଶୁଛି। ପାଣି ଭିତରକୁ ପଶି ସିଧା ବାହାରିଯାଉଛି। ଅନ୍ୟପଟେ ଦଳ ସଫେଇ ନାଁରେ ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସୌନ୍ଦର୍ଯ୍ୟ ଫେରିପାଉନି ଅଂଶୁପା। ଜବରଦଖଲ ଓ ଦଳ ପାଇଁ ହଜିଯିବାକୁ ବସିଲାଣି ଏହି ମଧୁର ପାଣିର ହ୍ରଦ।
ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ଏହାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି କେବଳ ବୋଟିଂ ହେଉଥିବା ସ୍ଥାନକୁ ବାଦ୍ ଦେଲେ ହ୍ରଦର ଅନ୍ୟ ସ୍ଥାନଗୁଡ଼ିକରୁ ଦଳ ସଫେଇ ହୋଇପାରୁନି। ଫଳରେ କେତେ ଅଂଚଳରେ ପର୍ଯ୍ୟଟକ ବୋଟିଂ କରିପାରିବେ ତାହାର ସୂଚନା ଦେବା ପାଇଁ କର୍ତ୍ତୃପକ୍ଷ ଏକ ଜାଲିଭଳି ଘେରାଇ ଦେଇଛନ୍ତି। ସେତିକି ଅଞ୍ଚଳରେ ପର୍ଯ୍ୟନ୍ତ ହିଁ ପର୍ଯ୍ୟଟକମାନେ ବୋଟିଂର ମଜା ନେଇପାରୁଛନ୍ତି। କେବଳ ସେତିକି ନୁହେଁ, ବର୍ଷ ବର୍ଷ ହେଲା ଅବହେଳାର ଶିକାର ହୋଇଆସୁଥିବା ଅଂଶୁପାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ ବି ଯେଉଁଭଳି ବିକାଶ ହେବା କଥା ତା ହୋଇପାରୁନି।

ଦଳ ମାଡ଼ି ହ୍ରଦଟି ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ବି ହ୍ରାସ ପାଇ ଚାଲିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ହାତରେ ଅଂଶୁପା ବିକାଶ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି। କେରଳରୁ ଏକ ଦଳ ସଫେଇ ମେସିନ୍ ଅଣାଯାଇ ଅ˚ଶୁପାରେ ଦଳ ସଫେଇ କରାଯାଉଛି। କେଉଁ କାରଣରୁ ଦଳ ହେଉଛି ଓ କେଉଁ ପ୍ରକାର ଦଳ ରହିଛି, ତାହାକୁ ନେଇ ସର୍ଭେ କରାଯାଇଛି। ଏବେ ଅଂଶୁପାକୁ ଦଳମୁକ୍ତ କରିବା ପାଇଁ ଦଳ ଖାଉଥିବା ମାଛ ଛଡ଼ାଯିବାକୁ ମଧ୍ୟ ଯୋଜନା କରାଯାଇଛି। କାବୁଲା ଓ ହୁଳୁହୁଳା ନାଳକୁ ଖନନ ଯୋଜନା ମଧ୍ୟ କିଛିକାଂଶରେ ଆରମ୍ଭ ହୋଇଛି।
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ରେ ରହିଥିବା ଅ˚ଶୁପା ହ୍ରଦର କ୍ୟାଚ୍ମେଣ୍ଟ ପରିଧି ପ୍ରାୟ ୫୨୩୧ ହେକ୍ଟର ଥିବାବେଳେ ଏହାର ଜଳଧାରଣ କ୍ଷମତା ପାଖାପାଖି ୧୪୨ ହେକ୍ଟର। ୧୮୨ ହେକ୍ଟର ଅଂଶୁପା ହ୍ରଦରୁ ୧୪୨ ହେକ୍ଟରରେ ପାଣି ଥିବାବେଳେ ବାକି ୪୦ ହେକ୍ଟର ଏବେ ଜବରଦଖଲରେ। କ୍ୟାଚ୍ମେଣ୍ଟ ଏରିଆ ମଧ୍ୟରେ ୨୮ଟି ଗ୍ରାମ ଅନ୍ତର୍ଭୁକ୍ତ। ଅ˚ଶୁପାର ପଶ୍ଚିମ ଦିଗରେ ସରଣ୍ତା ପାହାଡ ଓ ଉତ୍ତର ପୂର୍ବ ଦିଗରେ ବିଷ୍ଣୁପୁର ପାହାଡ ରହିଥିବାବେଳେ ଏହି ହ୍ରଦ ଦୁଇଟି ନାଳ ଯଥା- ଦକ୍ଷିଣ ଦିଗରେ କାବୁଲା ନାଳ ଏବ˚ ଦକ୍ଷିଣ ପଶ୍ଚିମରେ ହୁଳୁହୁଳା ନାଳ ମହାନଦୀ ସହିତ ସ˚ଯୁକ୍ତ ଥିଲା। ମାତ୍ର ଧୀରେଧୀରେ ଏହା ଅବକ୍ଷୟମୁଖୀ ହେବା ସହ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି। ୨୦୦୫ରେ ଦଶମ ଅର୍ଥ କମିସନ୍ ଅନୁଦାନରେ ୬କୋଟିରୁ ଅଧିକଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ବୋଟି˚, ପାର୍କ ସହ ଅନେକ ଉନ୍ନୟନ କାମ କରାଯାଇଥିଲା। ଅନ୍ୟପଟେ କେନ୍ଦ୍ର ସରକାର ଅଂଶୁପା ଓ ଚିଲିକାର ବିକାଶ ପାଇଁ ୪.୭ କୋଟି ଟଙ୍କାର ଅନୁଦାନ ଦେଇଥିବା ଜଣାପଡ଼ିଛି।
The post ଅଂଶୁପାକୁ ମାରିଦେଲେ! ଯେତେ ସଫା କଲେ ବି ଦଳମୁକ୍ତ ହେଉନି first appeared on Sambad.
from ଜିଲ୍ଲା – Sambad https://ift.tt/3f4s0OZ
0 Comments