
ରାଉରକେଲା : ବନ୍ଧମୁଣ୍ଡାରେ ଆଜି ଆତଙ୍କ କଲାଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ରେଳ ଫାଟକର ଗେଟ୍ ଖୋଲାଥିବାବେଳେ ମାଡ଼ିଆସିଥିଲା ଟ୍ରେନ୍। ତେବେ ଗେଟ୍ ଖୋଲାଥିବା ଦେଖି ଟ୍ରେନ୍ ଚାଳକ ବ୍ରେକ୍ ଦେଇଥିଲେ। ଫଳରେ ନିଶ୍ଚିତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି।
ଆଜି ପୂର୍ବାହ୍ନ ପ୍ରାୟ ୯ଟା। ବନ୍ଧମୁଣ୍ଡା ଡିଜେଲ କଲୋନି ରେଳ ଫାଟକର ଗେଟ୍ ଖୋଲାଥିଲା। ଫଳରେ ଯାତ୍ରୀମାନେ ଅନାୟାସରେ ଯିବା ଆସିବା କରୁଥିଲେ। ଠିକ୍ ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସୁଥିବା ଲୋକେ ଦେଖିଥିଲେ। ତେବେ ଗୋଟିଏ ବାଇକ୍ ଆରୋହୀ ଓ ଅଟୋ ଚାଳକ ଟ୍ରେନ୍କୁ ଦେଖିପାରି ନ ଥିଲେ। ମାତ୍ର ଟ୍ରେନ୍ ଡ୍ରାଇଭର ଗେଟ୍ ଖୋଲାଥିବା ଓ ଯାତ୍ରୀ ଯିବାଆସିବା କରୁଥିବା ଦେଖି ଏମର୍ଜେନ୍ସି ବ୍ରେକ୍ ଦେଇଥିଲେ। ଟ୍ରେନ୍ ରହିଯାଇଥିଲା ସତ; କିନ୍ତୁ ନିଶ୍ଚିତ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବାଇକ୍ ଓ ଅଟୋ ଚାଳକ।
ସ୍ଥାନୀୟ ଗେଟ୍ମେନ୍ଙ୍କ ଅବହେଳାକୁ ଦାୟୀ କରିଛନ୍ତି ଯାତ୍ରୀ। କିନ୍ତୁ ଗେଟ୍ମେନ୍ ପୂର୍ବ ଷ୍ଟେସନ୍, ଅର୍ଥାତ୍ ଏନ୍କ୍ୟାବିନର ଷ୍ଟେସନ ମାଷ୍ଟର୍ ମାଲବାହୀ ଟ୍ରେନ୍ ବିଷୟରେ କୌଣସି ସୂଚନା ଦେଇ ନ ଥିବାରୁ ଏଭଳି ପରିସ୍ଥିତି ସମ୍ମୁଖୀନ ହୋଇଥିବା କହିଛନ୍ତି। ଏନେଇ ଏଡିଇଏନ ତୁଷାର ରକ୍ଷିତ କହିଛନ୍ତି ଯେ ଟ୍ରେନ୍ ଏନକ୍ୟାବିନ ଦେଇ ଆସିଥାଏ। ଏଣୁ ଟ୍ରେନ୍ ବିଷୟରେ ଏନକ୍ୟାବିନର ଷ୍ଟେସନ ମାଷ୍ଟର ସଂପୃକ୍ତ ଗେଟ୍ମ୍ୟାନ୍ଙ୍କୁ ସୂଚନା ଦେବାକଥା। କିନ୍ତୁ ଏ କ୍ଷେତ୍ରରେ ସେଭଳି ସୂଚନା ଦିଆଯାଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସେ କହିଛନ୍ତି।
The post ଅଳ୍ପକେ ଟଳିଗଲା ଅଘଟଣ : ଗେଟ୍ ଖୋଲାଥିଲା, ମାଡ଼ିଆସିଲା ଟ୍ରେନ୍ first appeared on Sambad.
from ଜିଲ୍ଲା – Sambad https://ift.tt/2IFCGb5
0 Comments