କଟକ: ନୂଆ ରୂପ ପାଇବ କଟକ ବଡ ଡାକ୍ତରଖାନା। ଏସ୍‌ସିବି ମେଡିକାଲକୁ ୫ହଜାର ଶଯ୍ୟା ବିଶିଷ୍ଟ କରିବା ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ସରିଥିବା ବେଳେ ୫ ହଜାର ବେଡ୍ ପାଇଁ ଯୋଜନା ରହିଛି। ଏହାର ନିର୍ମାଣ କାର୍ଯ୍ୟ ୧୦ ସପ୍ତାହ ଭିତରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ ତିଆରି କରାଯିବ। ଏଥିପାଇଁ ୧୫ମହଲା ବିଶିଷ୍ଟ ୧୪ଟି କୋଠା ନିର୍ମାଣ କରାଯିବ। ଏହା ସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ମଧ୍ୟ ସମାନ ଢଙ୍ଗରେ ୫ଶହ ବେଡ୍‌ ପାଇଁ ସରକାର ଯୋଜନା ଆରମ୍ଭ କରି ଦେଇଛନ୍ତି।
ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭର୍ଚୁଆଲ ମିଟ୍‌ରେ ଅନୁଷ୍ଠିତ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ସିବି ନବକଳେବର ଯୋଜନା ‌ସଂପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା।

ଏହି ଭର୍ଚୁଆଲ ମିଟ୍‌ରେ ବିଭିନ୍ନ ବିଭାଗ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଏସ୍‌ସିବି ନବ‌କଳେବର ଯୋଜନା ତଦାରଖ କରୁଥିବା ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ହେଉଥିବା ନିର୍ମାଣରେ ଟ୍ରମା, କାଜୁଆଲିଟି, ରକ୍ତଭଣ୍ଡାର, ସର୍ଜରି, ମେଡିସିନ୍‌ ସମେତ ୫ଟି ବିଭାଗ ପାଇଁ ଯୋଜନା ରହିଛି। ତା’ପରେ ହଜାରେ ବେଡ୍‌ ପାଇଁ ନିର୍ମାଣ ଆରମ୍ଭ ହେବ। ତେବେ ପର୍ଯ୍ୟାୟ ଭିତ୍ତିରେ ୫ହଜାର ବେଡ୍‌ ପାଇଁ ଏସ୍‌ସିବିକୁ ପ୍ରସ୍ତୁତ କରିବା ପାଇଁ ଯୋଜନା ରଖାଯାଇଛି। ଅନ୍ୟପଟେ ଏସ୍‌ସିବିକୁ ପ୍ରବେଶ କରିବା ପାଇଁ ୫ଟି ପ୍ରବେଶ ପଥ ରହିବ। ଯୋବ୍ରାରେ ରହିବ ମୁଖ୍ୟ ପ୍ରବେଶ ପଥ ବା ଅରନାମେଣ୍ଟାଲ ଗେଟ୍‌।

ଆମ୍ବୁଲାନ୍ସ, ଜରୁରୀ ସେବା ବା ଗୁରୁତର ରୋଗୀଙ୍କ ପାଇଁ ମଧ୍ୟ ରହିବ ସ୍ବତନ୍ତ୍ର ଗେଟ୍‌। ଏସ୍‌ସିବି ପରିସରରେ ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିବ। ତା’ସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବର୍ତ୍ତମାନ ୨୮୦ ବେଡ୍‌ ରହିଥିବା ସେଠାରେ ୫ଶହ ବେଡ୍‌ ପାଇଁ ମଧ୍ୟ ସରକାର ଚିନ୍ତା କରୁଥିବା ଆଜିର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ଏସ୍‌ସିବି ସଂପ୍ରସାରଣ ଯୋଜନା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ତତ୍ବାବଧାନରେ ଯେଉଁ ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଥିଲା ସେଥିପାଇଁ ଆଜିର ବୈଠକ‌ରେ ଆରଡିସି, ଜିଲ୍ଲାପାଳଙ୍କୁ ପ୍ରଂଶସା କରାଯାଇଥିଲା। ନବେକଳେବର ପାଇଁ ସୁଇପର କଲୋନୀ, ବେହେରା କଲୋନି ସହ ୭୦୦ ସରକାରୀ କ୍ବାର୍ଟର୍ସ, ୩୩ଟି ସରକାରୀ କାର୍ଯ୍ୟାଳୟକୁ ଭଙ୍ଗା ଯାଇଥିଲା।

The post ଏସ୍‌ସିବି ବିକାଶ ଯୋଜନା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ first appeared on Sambad.



from ଜିଲ୍ଲା – Sambad https://ift.tt/39gV0Cm