
ନାଉଗାଁ: ନିଆରା ଓ ସରଳ ସ୍ବଭାବର ମଣିଷ ନାଉଗାଁ ବ୍ଲକ ଜାମୁ ଗାଁ ପଂଚାୟତର ନନ୍ଦିଗ୍ରାମ ଗାଁର ବଂଶୀ ବାଦକ କୈଳାସ ରାଉତ । ବୟସର ଅପରାହ୍ନରେ କୈଳାସ। ପରିବାର କହିଲେ ପତ୍ନୀ ବାସନ୍ତୀ ରାଉତ , ୩ ଝିଅ ଏବଂ ଗୋଟିଏ ପୁଅ। ୧୪ ବର୍ଷ ବୟସରୁ କଳାପ୍ରତି ଆକୃଷ୍ଟ ହୋଇ ଥାଇଳୋର ସ୍ବର୍ଗତ ବାବାଜୀ ରାୟଙ୍କୁ ଗୁରୁ ଭାବେ ଗ୍ରହଣ କରି ହାତରେ ବଂଶୀ ଧରିଥିଲେ କୈଳାସ । ସେଇଦିନୁ କଳା ଜଗତରେ ଆଗକୁ ଆଗକୁ ଅଗ୍ରସର ହୋଇ ଚାଲିଥିଲେ। ଦିନଥିଲା କୈଳାସଙ୍କ ବଂଶୀ ସ୍ବର ଖାଲି ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା । ସେଥିପାଇଁ ସେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରତିଷ୍ଠିତ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
ସେ ପ୍ରଥମେ ବେଣୀରାମପୁର ଅପେରା ଓ ପରେ ତାରପୁର ଅପେରାରେ ଯଥାକ୍ରମେ ଦୁଇଦୁଇ ବର୍ଷ ବଂଶୀବାଦନ କଲା ପରେ କିଛିଦିନ ପାଇଁ ଉତ୍ତରକୁଳ ଅପେରାରେ କାମ କରିଥିଲେ। ଖାଲି ଏତିକି ନୁହେଁ, ଗାଁଗାଁରେ ଭଜନ କୀର୍ତନ ହେଲେ ସେ ପହଞ୍ଚନ୍ତି। ତାଙ୍କ ସୁଲିତ ବଂଶୀର ସ୍ବର ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରେ। କୈଳାସ ୨୪ ବର୍ଷ ଧରି ତୁଳସୀ ଗଣନାଟ୍ୟରେ ବଂଶୀବାଦନ କରିଛନ୍ତି । କ୍ଳାନ୍ତ ଶରୀର ଏବଂ ବୟସାଧିକ୍ୟ କାରଣରୁ ମଧୁମେହ ରୋଗରେ ଆକ୍ରାନ୍ତ କୈଳାସ ବଂଶୀ ବାଦନ ଛାଡି ଦେଇଛନ୍ତି କହିଲେ ଚଳେ। ପରିବାର ଚଳାଇବାକୁ ବାଧ୍ୟ ହୋଇ କାଁ ଭାଁ ବଂଶୀବାଦନ କରୁଛନ୍ତି।
ଭାଗଚାଷ କରି କିଛି ଧାନ ପାଉଛନ୍ତି। ଏବେ ମହାମାରୀ କରୋନା ଆସି ସବୁ କିଛି ଓଲଟପାଲଟ କରିଦେଲା। କରୋନା ଛଡ଼ାଇନେଲା ବୃତ୍ତି, ବେଉସା। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସରକାରଙ୍କ କଟକଣାରୁ ବନ୍ଦ ହୋଇଥିବାରୁ ବଂଶୀବାଦନ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି। ସେ କଳାକାର ଭତ୍ତାରୁ ମଧ୍ୟ ବଞ୍ଚିତ। ଏଭଳି ସ୍ଥିତିରେ ତାଙ୍କୁ କଳାକାର ଭତ୍ତା ଯୋଗାଇ ଦେବାକୁ ଗ୍ରାମର ଯୁବ ସଂଗଠନ ନନ୍ଦିକେଶ୍ବର ୟୁଥ୍ କ୍ଲବ୍ ତରଫରୁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।
The post କରୋନା ଛଡ଼ାଇନେଲା ବୃତ୍ତି; ନିରବି ଯାଇଛି କୈଳାସଙ୍କ ବଂଶୀର ସୁମଧୁର ସ୍ବର first appeared on Sambad.
from ଜିଲ୍ଲା – Sambad https://ift.tt/35kSrNc
0 Comments