
ହାଟଡିହି: ବାଡ଼ିରେ କୁକୁଡ଼ା ପଶି ମରିବା ଘଟଣାର ନିଶାପ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଉଛନ୍ତି ଆନନ୍ଦ ନାଏକ।
ପ୍ରାପ୍ତ ସୂଚନା ଅନୁସାରେ, ତିନି ଦିନ ତଳେ ଅଁରା ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ କୁକୁଡ଼ା ଭୀମସେନ ଖଣ୍ଡେଇଙ୍କ ବାଡ଼ିରେ ପଶିଥିଲା। ଭୀମସେନ ତାଙ୍କ ବାଡ଼ିରେ ହୋଇଥିବା ଶୀତଦିନିଆ ଫସଲରେ କୀଟନାଶକ ପ୍ରୟୋଗ କରିଥିବାରୁ ଚରୁଥିବା କୁକୁଡ଼ାଟି କୀଟନାଶକ ଖାଇ ମରିଯାଇଥିଲା। ତେଣୁ, ଲକ୍ଷ୍ମୀଧର ଗାଁ ଭଦ୍ରଲୋକି ନିଶାପ ଡାକିଥିଲେ।

ଉଭୟଙ୍କ ଅଭିଯୋଗକୁ ଭିତ୍ତିକରି ଗତକାଲି ରାତି ଆଠଟା ବେଳେ ଗାଁର ଦକ୍ଷିଣ ସାହିରେ ନିଶାପ ବସିଥିଲା। ନିଶାପରେ ଯୁକ୍ତିତର୍କ ଓ ବଚସା ହୋଇ ଶେଷରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଆନନ୍ଦ ନାଏକ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ଭଦ୍ରକ ଡାକ୍ତରଖାନା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରାତି ପ୍ରାୟ ୩ଟା ବେଳେ କଟକ ଡାକ୍ତରଖାନାରେ ଆନନ୍ଦଙ୍କର ମୃତ୍ୟୁ ହୋଇଯାଇଛି।
ଏ ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
The post ବାଡ଼ିରେ କୁକୁଡ଼ା ପଶି ମରିବା ଘଟଣାର ନିଶାପ ବେଳେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/33lOiYf
0 Comments