
ବେଗୁନିଆପଡ଼ା : କୋଦଳା ତହସିଲ୍ ଅଧୀନରେ ୨୩ଟି ପଞ୍ଚାୟତ ଓ କୋଦଳା ଏନ୍ଏସି ରହିଛି। ସେହି ଅନୁପାତରେ ଲୋକସଂଖ୍ୟା ବଢିବା ସାଙ୍ଗକୁ ଇଲାକା ବଢ଼ିବାରେ ଲାଗିଛି। ଘର, କୋଠାବାଡ଼ି ଓ ରାସ୍ତାଘାଟ ଆଦି ପ୍ରକଳ୍ପ କାର୍ଯ୍ୟ ବଢ଼ିଛି। କିନ୍ତୁ ଏହି ତହସିଲ ଇଲକା ନିର୍ମାଣ କାର୍ଯ୍ୟ ଆବଶ୍ୟକ ମୋରମ୍ ଓ ପଥର ମିଳୁନାହିଁ। ଏହି ତହସିଲ୍ରେ ନିଲାମପ୍ରାପ୍ତ ମାତ୍ର ୭ ସୈରାତ ରହିଛି। ସେଥିରୁ ୨ଟିରେ ଲଘୁ ଖଣିଜ ଦ୍ରବ୍ୟ ନ ଥିବାରୁ ବନ୍ଦ ରହିଛି। ବାକି ୫ଟି ଉପରେ ସଂପୂର୍ଣ୍ଣ ଇଲାକା ନିର୍ଭର କରୁଥିବାରୁ ଲୋକଙ୍କୁ ମୋରମ୍ ଓ ପଥର ମିଳୁନାହିଁ। ତହସିଲ ଇଲାକାରେ ଆହୁରି ୧୨ ନୂତନ ସୈରାତ ଚିହ୍ନଟ ହୋଇଥିଲେ ହେଁ ପରିବେଶ ମଞ୍ଜୁରୀ ଏବଂ ବନ ବିଭାଗର ସବୁଜ ସଙ୍କେତ ମିଳିବାରେ ବିଳମ୍ବ ହେଉଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ମୋରମ୍ ଓ ପଥର ଚୋରା କାରବାର କୋଦଳା ତହସିଲ୍ ଇଲାକାରେ ବୃଦ୍ଧି ପାଉଛି। ସରକାର ବିପୁଳ ରାଜସ୍ବ ହରାଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୋଦଳା ତହସିଲ ଅଞ୍ଚଳରେ ମୋରମ୍ ଓ ପଥର ସକାଶେ ନୂତନ ୧୪ଟି ସୈରାତ ଚିହ୍ନଟ ହୋଇଛି। କଳା ପଥର ଲାଗି ବରିଡ଼ା, ବସନ୍ତ ବଣ (ଏ)ଓ (ବି ), ତୁମ୍ବଡା, ରେଙ୍ଗିଟିପଲ୍ଲୀ(ସି ), (ଡି) ଓ (ଇ) ଏବଂ ଗିଲିଣ୍ଡା ଆଦି ୮ ଟି ପଥର ଖଣି ଚିହ୍ନଟ ହୋଇଛି। ବୁରୁଝରୀ, ଭାଲିଆଝର, ନିମିନା,ଜପଟା ତିରିଡ଼ା ବଂଜର ଆଦି ୬ଟି ସ୍ଥାନ ମୋରମ୍ ଖଣି ଲାଗି ଚିହ୍ନଟ ହୋଇଛି। ପଥର ଓ ମୋରମ୍ ଖଣି ନିଲାମ ଲାଗି ସରକାର ଜଙ୍ଗଲ ବିଭାଗର ଏନ୍ଓସି ଓ ମାଇନିଂ, ପରିବେଶ ମଞ୍ଜୁରୀକୁ ବାଧ୍ୟତାମୂଳକ କରିଛନ୍ତି। ଏଯାଏ ଜଙ୍ଗଲ ବିଭାଗର ଏନ୍ଓସି ଓ ମାଇନିଂ ଏବଂ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ଲିଜ୍ ଦିଆ ଯାଇପାରୁ ନାହିଁ। ସେପଟେ ଶଙ୍ଖଭୂମି ଓ ଚଣ୍ଡପଲ୍ଲୀ ଠାରେ କଳା ପଥର ପାଇଁ ତହସିଲ୍ ପକ୍ଷରୁ ଲିଜ୍ ଦିଆ ଯାଇଥିବା ବେଳେ ସେଠାରେ କଳା ପଥର ନାହିଁ।
କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ କହିଛନ୍ତି, ବର୍ତ୍ତମାନ ମୋରମ୍ ପାଇଁ ଜାପଟା ଓ ତିରିଡ଼ା ବଂଜର(ଏ )କୁ ଲିଜ୍ ଦେବା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଅନୁମୋଦନ ପରେ ଏ ଖଣି ଦ୍ବୟ ଲିଜ୍ ଦିଆଯିବ। ନୂତନ ଭାବେ ବେରୁହାଁବାଡ଼ି ଠାରେ ଏକ ପଥର ଖଣି ପାଇଁ ମଧ୍ୟ ପରିବେଶ ମଞ୍ଜୁରୀ ପାଇଁ ମଧ୍ୟ ପଠାଯାଇଛି। ବାକି ୧୨ଟି ସୈରାତରୁ ୬ ଟିକୁ ଜଙ୍ଗଲ ଏନଓସି ଦେଉ ନଥିବା ବେଳେ ଆଉ ୬ ଟି ମାଇନିଂ ଏନ ଓ ସି ପାଇଁ ପଠାଯାଇଥିବା ସେ କହିଛନ୍ତି । ତହସିଲ ଅଞ୍ଚଳରେ ଯେଉଁ ୫ଟି ଖଣି କାର୍ଯ୍ୟକ୍ଷମ ରହିଛି ତାହା କୋଦଳା ପାର୍ଶ୍ବରେ। ରେଙ୍ଗଟି ପଲ୍ଲୀ ‘ଏ’ ଓ ‘ବି’, ଖଲlଡ଼ି, ତିରିଡ଼ା ବଂଜର -ବି, ବାଘୁଆ କୋଦଳା ପାର୍ଶ୍ବରେ ରହିଛି। କିନ୍ତୁ ବେଗୁନିଆପଡା ପାର୍ଶ୍ୱରେ ଲିଜ୍ ସ୍ଥଳ ନଥିବାରୁ ଲୋକମାନେ ପଥର ଓ ମୋରମ୍ ପାଇଁ ହିନସ୍ତା ହେଉଛନ୍ତି।
ଅନ୍ୟପକ୍ଷରେ କୋଦଳା ତହସିଲ ଅଞ୍ଚଳରେ ଶତାଧିକ ଟ୍ରକ୍ ଓ ଟ୍ରାକ୍ଟର ରହିଛି। ନୂତନ ସୈରାତ ବର୍ଷ ବର୍ଷ ନିଲାମ ହୋଇପାରୁ ନ ଥିବାରୁ ଟ୍ରକ୍ ଓ ଟ୍ରାକ୍ଟର ଗୁଡ଼ିକୁ ଉପଯୁକ୍ତ କାମ ମିଳୁନାହିଁ। ଲିଜ୍ ହୋଇ ନ ଥିବା ସ୍ଥଳରୁ ମୋରମ୍ ଓ ପଥର ଆଣି ଧରା ପଡ଼ିଲେ ଜରିମାନା ଦେବାକୁ ପଡ଼ୁଛି। ତହସିଲ୍ ଇଲକାରେ ନୂତନ ସୈରାତ କାର୍ଯ୍ୟକ୍ଷମ କରିବା ଲାଗି ସଂଘ ଦାବି କରିଛି। ଗତ ୭ ତାରିଖ ଦିନ ଜରିମାନା ଆଦାୟକୁ କେନ୍ଦ୍ର କରି ଶ୍ରୀ ଦଣ୍ଡେଶ୍ଵର ଟ୍ରକ୍ ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ କୋଦଳା ତହସିଲ୍ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। କିନ୍ତୁ ସମାଧାନ ପନ୍ଥା ନ ବାହାରିବାରୁ ୧୦ ତାରିଖରେ ପୁଣି ତହସିଲ କାର୍ଯ୍ୟାଳୟ ଘେରିଥିଲେ। ସରକାରୀ ନିୟମ ଅନୁସାରେ ଅଣଲିଜ୍ ସୈରାତ୍ରୁ ମାଲ୍ ପରିବହନ କଲେ କିମ୍ବା ୱାଇ ଫର୍ମ ବିନା ଲଘୁ ଖଣିଜ ଦ୍ରବ୍ୟ ପରିବହନ ଧରା ପଡ଼ିଲେ ଜରିମାନା ଆଦାୟ କରାଯିବ ବୋଲି କୋଦଳା ତହସିଲଦାର ଅବନୀ କୁମାର ସାହୁ ସ୍ପଷ୍ଟ କରିବା ସହ ଲୋକଙ୍କ ସରକାରୀ ଆବାସ ଯୋଜନାରେ ମାଲ୍ ପରିବହନ କଲେ ବିଚାର କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ଘୋଷଣା କରିବା ସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଗତ ୧୧ ତାରିଖରେ ଭେଟି ଏହାର ସମାଧାନ ପାଇଁ ସେମାନେ ଅନୁରୋଧ କରିଛନ୍ତି।
The post କୋଦଳା ତହସିଲ ଇଲାକାରେ ମୋରମ୍ ଓ ପଥର ଅଭାବ first appeared on Sambad.
from ଜିଲ୍ଲା – Sambad https://ift.tt/3pFu990
0 Comments