
ପଟାଙ୍ଗି : ବିସ୍ତାରବାଦ ଚିନ୍ତାଧାରା ନେଇ ଓଡ଼ିଶା ଭିତରକୁ ବାରମ୍ବାର ପଶି ଆସୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର। ଲୋକଙ୍କୁ ସହାୟତା ବାଣ୍ଟି ନିଜ ଦଖଲକୁ ନେବାକୁ ବି ପ୍ରୟାସ କରୁଛି। ଏହିକ୍ରମରେ ପ୍ରାୟ ୧୧ଦିନ ତଳେ ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁକୁ ଅକ୍ତିଆର ପାଇଁ ଆନ୍ଧ୍ର ଚେଷ୍ଟା କରିଥିଲା। ଏକତରଫା ଭାବେ ସୀମା ଚିହ୍ନଟ କରି ଫଳକ ଲଗାଇଥିଲା। ଯାହାକୁ ଓଡ଼ିଶାବାସୀ ବିରୋଧ କରିବାକୁ ଧମକ ଦେଇଥିଲା। ଓଡ଼ିଶା ପ୍ରଶାସନ ପହଞ୍ଚି ଫଳକ ଭାଙ୍ଗିବାରୁ ବିବାଦ ଉଗ୍ରରୂପ ନେଇଥିଲା। ଆନ୍ଧ୍ରର ଲୋକ ରାସ୍ତା ଅବରୋଧ କରି ଯାତାୟାତକୁ ଠପ୍ କରି ଦେଇଥିଲେ।
ଆନ୍ଧ୍ରର ଏକପାଖିଆ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଓଡ଼ିଶା ପକ୍ଷରୁ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପଟାଙ୍ଗି ରାଜସ୍ବ ସୁପରଭାଇଜର ରଘୁନାଥ ଖଟେଇ, ରାଜସ୍ବ ନିରୀକ୍ଷକ ସଭା ହରିଜନ ଏବଂ ଅମିନ ବିବାଦୀୟ ଅଞ୍ଚଳରେ ପହଞ୍ଚିଥିଲେ। ୧୯୬୨ ମସିହାରେ ସୀମା ନିର୍ଦ୍ଧାରଣ ହୋଇ ତିଆରି ହୋଇଥିବା ନକ୍ସାକୁ ଧରି ଏମାନେ ପାହାଡ଼ ଉପରେ ଚଢ଼ିଥିଲେ। ମାପଚୁପ ସହ ସୀମା ଚିହ୍ନଟ କରି ଫେରିଥିବା ସୂଚନା ମିଳିଛି। ଆଗାମୀ ୩ଦିନ ମଧ୍ୟରେ ନୂଆ ନକ୍ସା ପ୍ରସ୍ତୁତ ହୋଇପାରେ ବୋଲି କୁହାଯାଉଛି। ଏହା ପୂର୍ବରୁ ଗତକାଲି ଆନ୍ଧ୍ର ଏବଂ ଓଡ଼ିଶାର ପ୍ରଶାସନିକ ଅଧିକାରୀ ବିବାଦୀୟ ଅଞ୍ଚଳରେ ପହଞ୍ଚି ଆଲୋଚନା କରିଥିଲେ। ଏହି ଅଧିକାରୀ ସ୍ତରୀୟ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ପ୍ରସ୍ତୁତ ହେବାକୁ ଥିବା ନୂଆ ନକ୍ସାକୁ ନେଇ ଆନ୍ଧ୍ର କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛି ତାହା ଦେଖିବାକୁ ବାକି ରହିଲା।
The post ସୀମା ଚିହ୍ନଟ କଲା ଓଡ଼ିଶା ପ୍ରଶାସନ, ୩ଦିନ ମଧ୍ୟରେ ପ୍ରସ୍ତୁତ ହୋଇପାରେ ନକ୍ସା first appeared on Sambad.
from ଜିଲ୍ଲା – Sambad https://ift.tt/3905oOY
0 Comments