
କଟକ : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଚୁକ୍ତିଭିତ୍ତିକ ଅଧ୍ୟାପକ ନିଯୁକ୍ତି ସଂପର୍କିତ ୨୦୨୦, ନଭେମ୍ବର ୧୩ର ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ରାଜ୍ୟ ସରକାର, ବିଶ୍ବବିଦ୍ୟାଳୟ କୁଳ ସଚିବ ଓ ନ୍ୟାସନାଲ କାଉନସିଲ ଫର୍ ଟିଚର୍ ଏଜୁକେସନ୍ (ଏନସିଟିଇ)କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଏଜୁକେସନ୍ (ପର୍ସ୍ପେକ୍ଟିଭ୍ ଇନ୍ ଏଜୁକେସନ୍ ଅର୍ ଫାଉଣ୍ଡେସନ୍ କୋର୍ସ) ବିଭାଗର ଅଧ୍ୟାପକ ପଦ ଚୟନ ହାଇକୋର୍ଟରେ ବିଚାରାଧୀନ ମାମଲାର ଫଳାଫଳ ଉପରେ ନିର୍ଭର କରିବ। ବିଚାରାଧୀନ ମାମଲାର ଯାହା ରାୟ ରହିବ ତାହା ଚୟନ ପ୍ରସଂଗରେ ପାଳନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ କୁଳମଣି ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କେତେକ ବିଭାଗରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଓ ଅନ୍ୟ ପଦ ପୂରଣ ପାଇଁ ନଭେମ୍ବର ୧୩ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଜୁକେସନ୍ (ପର୍ସ୍ପେକ୍ଟିଭ୍ ଇନ୍ ଏଜୁକେସନ୍ ଅର୍ ଫାଉଣ୍ଡେସନ୍ କୋର୍ସ) ବିଭାଗର ଅଧ୍ୟାପକ ପଦ ପାଇଁ ପ୍ରକାଶିତ ଶିକ୍ଷାଗତ ଯୋଗ୍ୟତା ଏନସିଟିଇ ନିୟମାବଳୀ ଉଲ୍ଲଂଘନ କରୁଥିବା ଅଭଯୋଗ ହୋଇଥିଲା। ଏନସିଟିଇ ପକ୍ଷରୁ ୨୦୧୪, ନଭେମ୍ବର ୨୮ରେ ଅଧ୍ୟାପକଙ୍କ ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିରେ ଥିବା ମାନଦଣ୍ଡ ଆଧାରରେ ଅଧ୍ୟାପକ ନିଯୁକ୍ତି ପାଇଁ ଯୋଗ୍ୟତା ସ୍ଥିର କରାଯିବା କଥା। କିନ୍ତୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଏନସିଟିଇ ବିଜ୍ଞପ୍ତି ଉଲ୍ଲଂଘନ କରି ଅଧ୍ୟାପକଙ୍କ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିଲା। ଏନସିଟିଇ ନିୟମାବଳୀ ଉଲ୍ଲଂଘନ କରି ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
The post ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତିକୁ ଚାଲେଞ୍ଜ : ହାଇକୋର୍ଟଙ୍କ ନୋଟିସ୍, ମାମଲାର ଫଳାଫଳ ଉପରେ ନିର୍ଭର କରିବ ଚୟନ ପ୍ରକ୍ରିୟା first appeared on Sambad.
from ଜିଲ୍ଲା – Sambad https://ift.tt/3mjmcnQ
0 Comments