
ଶାଳଚୁଆ : ସମ୍ପତ୍ତି ଲୋଭରେ ପ୍ରଥମେ ଭଡ଼ାଟିଆ ହତ୍ୟାକାରୀ (ସୁପାରି କିଲର୍)ଙ୍କ ଦ୍ବାରା ବଡ଼ଭାଇକୁ ହତ୍ୟା କଲା। ଏହାର ଦିନକ ପରେ ନିଜେ ପୁତୁରାର ତଣ୍ଟିକାଟି ହତ୍ୟା କଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସାନଭାଇ ତସିଲ୍ ହେମ୍ରମ୍କୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରୁ ପୁଲିସ ଧରିବା ସହ ବାଲେଶ୍ବର ଜିଲ୍ଲା ଖଇରା ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଘଟିଥିବା ବାପ-ପୁଅ ହତ୍ୟା ମାମଲା ଉପରୁ ପରଦା ଉଠାଇଛି। ପୁଲିସ ଆଗରେ ଅଭିଯୁକ୍ତ ସତ ଉଗାଳିବା ସହ ଏହି ଲୋମଟାଙ୍କୁରା ଘଟଣାର ରହସ୍ୟ ଖୋଲିଛି।
ଗତ ୨୫ ତାରିଖ ଦିନ ଖଇରା ଥାନା ପୁଲିସ ନୟାଖଣ୍ଡି ପଞ୍ଚାୟତ ନିକଟସ୍ଥ ଆମ୍ବହତା କେନାଲ ପାର୍ଶ୍ବ ଧାନକ୍ଷେତରୁ ଜଣେ ଅଜଣା ଯୁବକଙ୍କ ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକଙ୍କ ଦେହସାରା କ୍ଷତବିକ୍ଷତ ହୋଇଥିବା ବେଳେ ଗଳାକାଟି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହେଲେ ଘଟଣାର ଖିଅ ପାଇନଥିଲା ପୁଲିସ। ତେବେ କପ୍ତିପଦା ଥାନା ଅଞ୍ଚଳରେ ଅନ୍ୟ ଏକ ହତ୍ୟା ଘଟଣାର ଛାନ୍ଭିନ୍ ବେଳେ ପୂର୍ବ ହତ୍ୟାକାଣ୍ଡର ରହସ୍ୟ ଖୋଲିଥିଲା।
ସୂଚନା ଅନୁଯାୟୀ, କପ୍ତିପଦା ଥାନା ମଝିଗଢିଆ ପଞ୍ଚାୟତ ମହୁଲପଙ୍ଖାର ଛାଞ୍ଚୁଣିଆ ଗ୍ରାମର ବିଶ୍ବନାଥ ହେମ୍ବ୍ରମ୍ଙ୍କ ପୁଅ ତସିଲ (୨୫) ଓ ସାବତ ଭାଇ ଘନଶ୍ୟାମ (୪୫)ଙ୍କ ମଧ୍ୟରେ ଦୀର୍ଘଦିନରୁ ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ କଳିଗୋଳ ହେଉଥିଲା। ଭାଇକୁ ବାଟରୁ ହଟାଇ ଦେଲେ ବିବାଦର ସମାଧାନ ହୋଇଯିବ ବୋଲି ଭାବିଥିଲା ତସିଲ। କାମ ଯୋଗାଇ ଦେବାକୁ କହି ଗତ ୨୫ ତାରିଖ ଦିନ ଭାଇ ଘନଶ୍ୟାମଙ୍କୁ ଖଇରା ଅଞ୍ଚଳକୁ ପଠାଇ ସେଠାରେ କିଛି ସୁପାରି କିଲର୍ଙ୍କ ଦ୍ବାରା ତାଙ୍କୁ ହତ୍ୟା କରାଇଥିଲା। ଦୁର୍ବୃତ୍ତମାନେ ଘନଶ୍ୟାମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଶବକୁ କେନାଲ ପାର୍ଶ୍ବ ବିଲକୁ ଫିଙ୍ଗି ଦେଇଥିଲେ।
ଖଇରା ପୁଲିସ ଉକ୍ତ ଘଟଣାର ଖିଅ ଖୋଜୁଥିବା ବେଳେ ସେପଟେ ଘନଶ୍ୟାମଙ୍କ ପୁଅ କୁଅଁର (୧୬)କୁ ବି ହତ୍ୟା କରିଥିଲା ତସିଲ। ଗତକାଲି କୁଅଁର ଘର ନିକଟ ଜମିରୁ ଧାନ ଆଣୁଥିବା ସମୟରେ ଏକ ଜଙ୍ଗଲ ରାସ୍ତାରେ ତାଙ୍କୁ ଆକ୍ରମଣ କରି ଛୁରିରେ ତଣ୍ଟି କାଟି ଦେଇଥିଲା। ପରେ ମୃତଦେହକୁ କାନ୍ଧରେ ବୋହି ରୁପାଡ଼ସାଲ ଜଙ୍ଗଲରେ ଲୁଚାଇ ଦେଇଥିଲା। ହତ୍ୟାକାଣ୍ତର ପ୍ରମାଣ ନଷ୍ଟ ପାଇଁ ରକ୍ତ ପଡ଼ିଥିବା ସ୍ଥାନକୁ ଗୋବର ପାଣିରେ ଲିପିଦେବା ସହ ରକ୍ତଭିଜା ଲୁଗାକୁ ମାଟିଖୋଳି ପୋତି ଦେଇଥିଲା ତସିଲ। ହେଲେ ପୁଅକୁ ଖୋଜାଖୋଜି ବେଳେ ରକ୍ତଛିଟା ଦେଖିବାକୁ ପାଇଥିଲେ ପରିବାର ଲୋକେ। ପୂର୍ବରୁ ତସିଲଙ୍କ ସହିତ ଶତ୍ରୁତା ଥିବାରୁ ସେ ହିଁ କୁଅଁରକୁ ହତ୍ୟା କରିଛି ବୋଲି ତାଙ୍କ ମା ତୁଳସୀ ହେମ୍ବ୍ରମ୍ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ। କପ୍ତିପଦା ଏସ୍ଡିପିଓ, ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ, ବାରିପଦାରୁ ଆସିଥିବା ସାଇଣ୍ଟିଫିକ ଟିମ୍ ଘଟଣାର ଛାନ୍ଭିନ୍ କରିବାବେଳେ ମୃତଦେହ ଠାବ କରିଥିଲା ସନ୍ଧାନୀ କୁକୁର। କପ୍ତିପଦା ପୁଲିସ କେସ୍ ନଂ ୩୨୨/୨୦ରେ ଏକ ମାମଲା ରୁଜୁ କରି ତସିଲକୁ ଅଧିକ ପଚରାଉଚରା କରୁଛି।
The post ଖଇରା ଡବଲ ମର୍ଡରର ପର୍ଦ୍ଦାଫାସ୍ : ସମ୍ପତ୍ତି ପାଇଁ ସାବତ ଭାଇ ଓ ପୁତୁରାକୁ ହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/3qckzuz
0 Comments