ଯୁଯୁମୁରା: ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରୀପଡ଼ାର ଭାଗିରଥି ମଲ୍ଲିକ(୫୦)ଙ୍କ ୪ ବଖରା ଚାଳଘର ଶନିବାର ବିଳମ୍ବିତ ରାତିରେ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । କେହି ଜଣେ ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିବା ଜଣାପଡ଼ିଛି । ଘର ଭିତରେ ଥିବା ସବୁ ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା, କାଗଜପତ୍ର ସବୁ କିଛି ପୋଡ଼ି ଯାଇଛି ।

ସନ୍ଦେହରେ ସେହି ପଡ଼ାର ରମଣୀ ମିର୍ଧାଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଜିମା ଦେଇଛନ୍ତି । ସୂଚନା ପାଇ ଯୁଯୁମୁରା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି । ନିଆଁ ଲାଗିବା ମାତ୍ରେ ଘର ଭିତରୁ ବାହାରୁ ଥିବା ସମୟରେ ଭାଗିରଥିଙ୍କ ସ୍ତ୍ରୀ ରେଖାଙ୍କ ମୁଣ୍ଡରେ ନିଆଁ ଝୁଲା ପଡ଼ିଯିବାରୁ ଆଂଶିକ ଭାବେ କପାଳ ଉପର ପୋଡ଼ି ଯାଇଛି । ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଇ ଥିବାରୁ କଣ ଖାଇବେ, ପିଇବେ, ପିନ୍ଧିବେ, କୋଉଠି ରହିବେ ବୋଲି କୋହଭରା କଣ୍ଠରେ କୁହନ୍ତି ରେଖା। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

The post ଯୁଯୁମୁରା: ଜଳିଗଲା ୪ ବଖରା ଚାଳଘର, ଜଣେ ଦୁର୍ବୃତ୍ତ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/2UOj1bt