ଢେଙ୍କାନାଳ: କୂଅ ପାଣି ବ୍ୟବହାରକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗିଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଗାଁରେ ଥିବା ଏକ କୂଅର ପାଣି ବ୍ୟବହାରକୁ ନେଇ ଧଳ ପରିବାରର କିଛି ଲୋକଙ୍କ ସହ ବଚସା ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଗତକାଲି ସନ୍ଧ୍ୟା ସମୟରେ ଶ୍ୟାମ ସୁନ୍ଦର ଓ ସନ୍ତୋଷଙ୍କୁ ଅତର୍କିତ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ବାପପୁଅ ଚେତାଶୂନ୍ୟ ହେବା ପରେ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାପପୁଅଙ୍କୁ ଉଦ୍ଧାର କରିଥିଲେ।

ଉଭୟେ ଗୁରୁତର ଅବସ୍ଥାରେ ଏବେ ବି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ଗଞ୍ଜେଇଡିହ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ନଜରରେ ରଖି ଗାଁରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଦୁଇ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ଢେଙ୍କାନାଳ: କୂଅ ପାଣି ବ୍ୟବହାରକୁ ନେଇ ବାପପୁଅଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/3kTyNfN