
କଟକ: ଦୁର୍ଗାପୂଜା ଓ କାଳୀପୂଜା ଭଳି ଚଳିତ କାର୍ତ୍ତିକେଶ୍ବର ପୂଜାରେ ବି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ। ମଣ୍ତପରେ ସର୍ବାଧିକ ୭ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ। ବିନା ଶୋଭାଯାତ୍ରାରେ ମେଢ଼ ବିସର୍ଜନ କରାଯିବ। କୋଭିଡ୍ କଟକଣା ଅନୁଯାୟୀ, ଯେଭଳି ଭସାଣି ସମୟରେ ଭିଡ଼ ଅଧିକ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। କେହି ପୂଜା ମଣ୍ତପ କର୍ମକର୍ତ୍ତା ନିୟମ ଖିଲାପ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ଚେତାଇ ଦିଆଯାଇଛି।
ସୂଚନା ଅନୁଯାୟୀ, କରୋନା ପ୍ରଭାବ ଏବେ ବି ହ୍ରାସ ପାଇନଥିବାରୁ ଦୁର୍ଗାପୂଜା ଓ କାଳୀପୂଜା ଭଳି କାର୍ତ୍ତିକେଶ୍ବର ପୂଜାରେ ବି କଟକଣା ଲଗାଇବାକୁ ଯାଉଛି କଟକ କମିସନରେଟ୍ ପୁଲିସ। ଆସନ୍ତା ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକେଶ୍ବର ପୂଜା ପାଳିତ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। କେବଳ ଦିନ ସମୟରେ ହିଁ ଭସାଣି ହେବ।
କାର୍ତ୍ତିକେଶ୍ବର ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ହିଁ ରହିବ। ବିଧି ରକ୍ଷା ପାଇଁ ପୂଜା କେବଳ ମଣ୍ତପ ଭିତରେ ଅନୁଷ୍ଠିତ ହେବ। ସର୍ବସାଧାରଣ ଦର୍ଶନ ବାରଣ କରାଯିବ। ମଣ୍ତପର ତିନି ପଟୁ ବନ୍ଦ କରାଯିବ। ପୂଜକ ଏବ˚ କର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ ଜଣଙ୍କୁ ମଣ୍ତପରେ ଉପସ୍ଥିତ ରହିବାକୁ ଅନୁମତି ମିଳିବ। ଯେଉଁମାନେ ମଣ୍ତପ ଭିତରେ ଉପସ୍ଥିତ ରହିବେ ସେମାନେ କୋଭିଡ କଟକଣା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ବ୍ୟବହାର କରିବେ। କୌଣସି ତୋରଣ କରାଯିବ ନାହିଁ।
ବନ୍ଦ ଘରେ ଭୋଗ ପ୍ରସ୍ତୁତ କରାଯିବ। ପରିସ୍କାର ପରିଚ୍ଛନ ଭାବେ ଭୋଗ ଭକ୍ତଙ୍କୁ ବାଣ୍ଟିବାକୁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ଏକାଠି ହୋଇ କେହି ଭୋଜି କରିପାରିବେ ନାହିଁ। ଭସାଣି ସମୟରେ କୌଣସି ଶୋଭାଯାତ୍ରା ହେବ ନାହିଁ। ଟାଟା ଏସି କିମ୍ବା ଅଟୋ ରିକ୍ସାରେ ମେଢ଼ ଭସାଣି ପାଇଁ କୃତ୍ରିମ ପୋଖରୀକୁ ଯିବ। କୌଣସି ସା˚ସ୍କୃତିକ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜିତ ହେବ ନାହିଁ। ମେଢ଼ଗୁଡ଼ିକ ସାହି ପରିକ୍ରମା କରିବେ ନାହିଁ। ସିଏମସି ପକ୍ଷରୁ କଟକ ସହରରେ ୧୧ଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି। ଚିହ୍ନଟ ହୋଇଥିବା ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବାକୁ ନିଷ୍ପତ୍ତି ସ˚କ୍ରାନ୍ତରେ ଆଜି ଏକ ପରାମର୍ଶବଳୀ ମାଧ୍ୟମରେ କମିସନରେଟ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
The post କାର୍ତ୍ତିକେଶ୍ବର ବି ୪ ଫୁଟ୍; ବିନା ଶୋଭାଯାତ୍ରାରେ ଡିସେମ୍ବର ୧ରେ ଭସାଣି first appeared on Sambad.
from ଜିଲ୍ଲା – Sambad https://ift.tt/36IuoYd
0 Comments