
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବରୁ ଆଜି ରାତିରେ ଅଚେତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ତାଙ୍କୁ ସେଠାରେ ଫିଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ମହିଳାଙ୍କୁ ବଳାତ୍କାର ପରେ ଅଚେତ ଅବସ୍ଥାରେ ପକାଇ ଦିଆଯାଇଥିବା କିମ୍ବା ଲୁଟ୍ ପାଇଁ ଏଭଳି ଘଟଣା ଘଟିଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି।
ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟାରେ ନାଲି ପ୍ୟାଣ୍ଟ ଓ ନୀଳରଙ୍ଗର ଚୁଡ଼ିଦାର ପିନ୍ଧିଥିବା ଜଣେ ମହିଳା ରାସ୍ତାକଡ଼ରେ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖି ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତାଙ୍କ ନିକଟରେ ସପ ଓ ଏକ ଗଣ୍ଠିଲି ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ପରେ ଦମକଳ ଗାଡ଼ି ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତରଖାନାରୁ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବିଳମ୍ବିତ ରାତିରେ ଚେତା ଫେରିବା ପରେ ମହିଳାଜଣକ ତାଙ୍କ ଘର କାକଟପୁର ଅଞ୍ଚଳରେ ଏବଂ ସେ କଟକ ଶିଖରପୁର ଅଞ୍ଚଳରେ ରହୁଥିଲେ ବୋଲି କହିଛନ୍ତି। ସେହିପରି ଚଣ୍ଡିଖୋଲର ତିନିଜଣ ଯୁବକଙ୍କ ସହ କୌଣସି କାର୍ଯ୍ୟରେ ସେ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ମହିଳାଙ୍କ ସମ୍ପୂର୍ଣ୍ଣ ଚେତା ଫେରି ନ ଥିବାରୁ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିବା ପୁଲିସ୍ କହିଛି। ତେବେ ମହିଳାଜଣକ ରାତିରେ ଏଠାକୁ କିପରି ଆସିଲେ ଏବଂ ତାଙ୍କୁ କିଏ ଆଣିଲା ଆଦି ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଏଏସ୍ଆଇ ପି.କେ.ଦାସ ସୂଚନା ଦେଇଛନ୍ତି।
The post ମହିଳାଙ୍କୁ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ ! first appeared on Sambad.
from ଜିଲ୍ଲା – Sambad https://ift.tt/2IQT1d2
0 Comments