ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନରଦା ଗ୍ରାମରେ ବେଆଇନ୍ ପଥର ଖୋଳା ଚାଲିଥିବା ବେଳେ ଗତକାଲି ରାତିରେ ପୁଲିସ୍ ପକ୍ଷରୁ ଚଢଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିଜ ପଞ୍ଚାୟତ ଗଡ଼ବାନ୍ଧଗୋଡ଼ାର ନରଦା ଗ୍ରାମରେ ବେଶ୍ କିଛି ବର୍ଷ ଧରି ବେଆଇନ୍ ପଥର ଖୋଳା ଚାଲିଛି। ଏନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା।

ତେବେ ଗତକାଲି ରାତି ୧୧ଟା ସମୟରେ ଘସିପୁରା ଥାନା ଏସ୍ ଆଇ ବିଶ୍ୱଜିତ୍ ବେହେରା ଫୋର୍ସ ସହିତ ସେହି ଅଞ୍ଚଳରେ ଚଢଉ କରିଥିଲେ। ତେବେ ଘଟଣାସ୍ଥଳରୁ ମାଫିଆମାନେ ଅନ୍ଧକାର ମଧ୍ୟରେ ଚମ୍ପଟ ମାରିଥିଲେ। ଏହି କାରଣରୁ ପୁଲିସ୍ କାହାରିକୁ ଗିରଫ କରିପାରି ନଥିଲା। ତେବେ ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲା ପୁଲିସ। ଏନେଇ ଘସିପୁରା ଥାନା ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି। ବେଆଇନ୍ ପଥର ଖୋଳାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଏବଂ ପଥର ମାଫିଆମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି।

The post ଆନନ୍ଦପୁର: ବେଆଇନ୍ ପଥର ଖୋଳା ଚାଲିଥିବା ବେଳେ ପୁଲିସର ଚଢଉ, ୫ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/36CWbt4