ଜଗତସିଂହପୁର: ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ନ୍ୟାସନାଲ ଭୋଟର ସଭିର୍ସ ପୋର୍ଟାଲରେ, ଯେକୌଣସି ଭୋଟର ନିଜ ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଭୋଟର ତାଲିକାରେ ନାମ ଅଛି ଏହା ଦ୍ବାରା ଜଣାପଡ଼ିଯିବ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯେମିତିକି ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନ ମଣ୍ତଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ।

ଏହାସହ ନିଃଶୁଳ୍କ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନୀ ଅଧିକାରୀ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।  ମତଦାନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ମତଦାନ ପାଇଁ କେବଳ ଚିରକୁଟି କିମ୍ବା ଫଟୋ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ। ଏହାସହ ୧୨ଟି ବିକଳ୍ପ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ।

ଏହି ପରିଚୟପତ୍ରଗୁଡ଼ିକ  ହେଲା ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନସ୍‌, ଫଟୋ ଥିବା ସରକାରୀ ଚାକିରି କ୍ଷେତ୍ରୀୟ ପରିଚୟ, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ ପାସବୁକ୍, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ଏମ୍ଏନ୍ଆରଜିଏର ଜବକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ୍, ଏନ୍‌ପିଆର ସ୍ମାର୍ଟକାର୍ଡ, ପାସପୋର୍ଟ, ପାନକାର୍ଡ ଓ ଆଧାର କାର୍ଡ ଦେଖାଇ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

The post ତିର୍ତୋଲ ଉପନିର୍ବାଚନ: ଭୋଟର ତାଲିକାରେ ନାମ ଖୋଜିବା ପାଇଁ ଜାତୀୟ ପୋର୍ଟାଲ first appeared on Sambad.



from ଜିଲ୍ଲା – Sambad https://ift.tt/34SKOgR