ମାଧପୁର/ବୌଦ୍ଧ : ହସଖୁସିର ମୁହୂର୍ତ୍ତରେ ଛାଇଗଲା କଳାବାଦଲ। ସଂପର୍କୀୟଙ୍କ ନିର୍ବନ୍ଧ ସାରି ଘରକୁ ଫେରୁଥିବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଚାଲିଗଲା ୨ ଜଣଙ୍କ ଜୀବନ। ୮ ଜଣ ଗୁରୁତର ଆହତ ହୋଇଗଲେ। ଏପରି ଘଟଣା ଘଟିଛି ରେଢାଖୋଲ-ବୌଦ୍ଧକୁ ସଂଯୋଗ କରୁଥିବା ୧୫୩ ନଂ ଜାତୀୟ ରାଜପଥର କିଆକଟା ବାଇପାସ୍ ଛକ ପାଖରେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳରୁ ନିଜ ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗ ଦେଇ ଏକ ଇନୋଭା କାର୍ରେ (ଓଡ଼ି ୦୩ ଜି-୨୨୫୫)ରେ ବଲାଙ୍ଗୀର ସହରର ତାପସ ବଡ଼ପଣ୍ଡା(୪୬), ତାଙ୍କ ପତ୍ନୀ ମୋନାଲିସା ବଡ଼ପଣ୍ଡା(୨୮), ଝିଅ ଆଂଶି ବଡ଼ପଣ୍ଡା(୩) ଏବଂ ଭବାନୀପାଟଣା କାମଠଣା ଗ୍ରାମର ଜନାର୍ଦ୍ଦନ ମହାପାତ୍ର, ତାଙ୍କ ପତ୍ନୀ ଗୀତାଞ୍ଜଳି ମହାପାତ୍ର, ପୁତୁରା ଶାନ୍ତିସ୍ବରୂପ ମହାପାତ୍ର, ପରିବାରର ଅନ୍ୟ ଜଣେ ସଦସ୍ୟ ଓ ଗାଡ଼ିଚାଳକ କୃଷ୍ଣ ପଟେଲ ପ୍ରମୁଖ ଫେରୁଥିଲେ। ନିର୍ବନ୍ଧ କାର୍ଯ୍ୟ ସାରି ଫେରିବାବେଳେ ରାତି ସାଢ଼େ ୧୨ଟା ସମୟରେ କିଆକଟା ବାଇପାସ୍ ଛକ ପାଖରେ କାର୍ ରଖି କିଛି ସଦସ୍ୟ ପରିସ୍ରା କରିବାକୁ ବାହାରି ଥିଲେ। ସେହି ସମୟରେ ସମ୍ବଲପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ‘ବୃନ୍ଦାବନ’ ନାଇଟ୍ କୋଚ୍ ବସ୍ (ଓଡ଼ି ୦୨ ଏକେ ୮୧୮୮) ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ଲୁହା ଖୁଣ୍ଟରେ ପିଟି ହୋଇଥିଲା। ଏହାପରେ ଯାତ୍ରୀବାହୀ ବସ୍ଟି କାର୍ ଉପରେ ଚଢିଯାଇ ଓଲଟି ପଡ଼ିଥିଲା। କାର୍ ଭିତରେ ଥିବା ଜନାର୍ଦ୍ଦନ ମହାପାତ୍ର ଓ ଚାଳକ କୃଷ୍ଣ ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ କାର୍ ଓ ବସ୍ଯାତ୍ରୀମାନଙ୍କୁ ମିଶାଇ ସର୍ବମୋଟ ୨୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୮ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଯାଇଛି।
The post କାର୍ ଉପରେ ଚଢ଼ିଗଲା ବସ୍: ୨ ମୃତ, ୮ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/384iHNG
0 Comments