
ସମ୍ବଲପୁର : ବିଗତ ୨ ଦଶନ୍ଧି ମଧ୍ୟରେ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଥିବା ସମୟରେ ଜୀବନ ଧାରଣର ମାନରେ ପରିବର୍ତ୍ତନ ଯୋଗୁ ଏହି ଧାରା ଆଗକୁ ବି ଜାରି ରହିବ। ଏଭଳି ସ୍ଥିତିରେ ବୃଦ୍ଧାବସ୍ଥାରେ ଲୋକଙ୍କ ସ୍ବାସ୍ଥ୍ୟ, ସାମାଜିକ, ଶୈକ୍ଷିକ ଆଦି ପ୍ରସଙ୍ଗକୁ ନେଇ ଗବେଷଣାର ଆବଶ୍ୟକତା ରହିଛି। ଏହି ବୃଦ୍ଧାବସ୍ଥା ସମ୍ପର୍କରେ ଗବେଷଣା ପାଇଁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ସରକାର ମଞ୍ଜୁର କରିବା ପରେ ଏଠାରେ ବୃଦ୍ଧାବସ୍ଥାକୁ ନେଇ ରାଜ୍ୟର ପ୍ରଥମ ବହୁମୁଖୀ ଗବେଷଣା କେନ୍ଦ୍ର ଗଠନ ହୋଇଛି।
ଶନିବାର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସ୍ନାୟୁ ଜୀବବିଜ୍ଞାନ ପ୍ରଫେସର ମହେନ୍ଦ୍ର ଠାକୁର ଏହି ‘ଓଡ଼ିଶା ସେଣ୍ଟର ଫର୍ ଜେରିଆଟ୍ରିକ୍ସ ଆଣ୍ଡ ଜେରୋଣ୍ଟୋଲୋଜି’ର ଉଦ୍ଘାଟନ କରିଛନ୍ତି। ସ୍ବାସ୍ଥ୍ୟର ସ୍ଥିତିକୁ ନେଇ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଜେରିଆଟ୍ରିକ୍ସକୁ ନେଇ ଗବେଷଣା ହେଉଛି ମାତ୍ର ଭୂଗୋଳ, ଅର୍ଥନୀତି, ଦର୍ଶନ ଶାସ୍ତ୍ର, ଇତିହାସ ଭଳି ବିଭାଗକୁ ନେଇ ସମ୍ମିଳିତ ଗବେଷଣାରେ ଏହା ପ୍ରଥମ ଘଟଣା ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଶନିବାରର ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଅତନୁ କୁମାର ପତି ସ୍ବାଗତ ଭାଷଣ ଦେଇଥିବା ସମୟରେ ଭୁଗୋଳ ବିଭାଗ ମୁଖ୍ୟ ପ୍ରଫେସର ଶିବବ୍ରତ ଦାଶ ଏହାର କାର୍ଯ୍ୟକାରିତା ନେଇ ଆଲୋକପାତ କରିଥିଲେ। ଉପ କୁଳସଚିବ ଡ. ଉମା ଚରଣ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅର୍ଥନୀତି ବିଭାଗ ମୁଖ୍ୟ ଡ.ପ୍ରଭାତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏକ ଗବେଷଣାର ରିପୋର୍ଟ ଅନୁସାରେ, ୯୦ ଦଶରେ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧ ପ୍ରତିଶତ ଥିବା ସମୟରେ ୨୦୧୧ ବେଳକୁ ଏହା ୬ ପ୍ରତିଶତ ହୋଇଥିଲା। ଯାହା ବର୍ତ୍ତମାନ ବୃଦ୍ଧି ପାଇ ପ୍ରାୟ ୧୦ ପ୍ରତିଶତରେ ପହଞ୍ଚିସାରିଛଇ। ଜୀବନଧାରଣର ମାନ ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ବଞ୍ଚିବାର ବୟସ ବୃଦ୍ଧି ପାଇ ଏବେ ୬୮ ବର୍ଷରେ ପହଞ୍ଚିଲାଣି। ବର୍ତ୍ତମାନ ଛୋଟ ପିଲାଙ୍କ ସଂଖ୍ୟା କମୁଥିବା ସମୟରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି। ଯାହା ମୋଟ ଜନସଂଖ୍ୟାର ୫୫ ପ୍ରତିଶତ। ତେବେ ଆଉ କିଛି ବର୍ଷ ମଧ୍ୟରେ ଏହି ୫୫ ପ୍ରତିଶତର ଲୋକେ ବୃଦ୍ଧାବସ୍ଥାରେ ପାଦ ଥାପିବେ। ବୃଦ୍ଧାବସ୍ଥାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ସେମାନଙ୍କୁ ସାମାଜିକ, ମାନସିକ ଓ ସ୍ବାସ୍ଥ୍ୟ ଭିତ୍ତିରେ କିଭଳି ପରିଚାଳନା କରାଯିବ, ସେନେଇ କୌଣସି ଯୋଜନା ହୋଇପାରିନାହିଁ। ଯାହାକି ଆଗାମୀ ଦିନରେ ଦେଶ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା ଦେଖାଦେଇଛି। ଏହାର ସମାଧାନ ପାଇଁ ବିସ୍ତୃତ ଗବେଷଣାର ଆବଶ୍ୟକତା ରହିଛି।
The post ଜିଏମ୍ୟୁରେ ହେବ ବୃଦ୍ଧାବସ୍ଥା ସମ୍ପର୍କରେ ଗବେଷଣା first appeared on Sambad.
from ଜିଲ୍ଲା – Sambad https://ift.tt/32PFnxL
0 Comments